ନିଷ୍କାସିତ ହୋଇପାରୁନି ବର୍ଷା ଜଳ: ଜଳାଶୟ ପୋତି ଚାଲିଛି ବଡ଼ ବଡ଼ କୋଠାର ନିର୍ମାଣ
କଟକ,(ଓ୍ବାଇଏନଏସ): ସରକାରୀ ଖାତାରେ ପ୍ଲଟ ଜଳାଶୟ । ହେଲେ ଜଳାଶୟ କିସମ ପ୍ଲଟ ଉପରେ ହୋଇଛି ଘର ନିର୍ମାଣ । କଟକ ସହରରେ ଏଭଳି ଅନେକ ସ୍ଥାନରେ ଜଳାଶୟ ପୋତି ହୋଇଛି ନିର୍ମାଣ କାର୍ଯ୍ୟ। ବର୍ଷାଦିନେ ଜଳାଶୟଗୁଡ଼ିକ ବର୍ଷା ପାଣି ସଂରକ୍ଷଣରେ ସହାୟକ ହେବା ସହ ରାସ୍ତାଘାଟ କିମ୍ବା ଜନବସତି ଅଞ୍ଚଳରେ ପାଣି ଜମିବା ସ୍ଥିତିକୁ ଏଡ଼ାଇବାରେ ସହାୟକ ହୁଏ। ତାକୁ ଯଦି ପୋତି ନିର୍ମାଣ କାର୍ଯ୍ୟ କରାଯାଏ ତେବେ ଜଳାଶୟ ସଂଖ୍ୟା କମିବା ସହ ପ୍ରବଳ ବର୍ଷା ସମୟରେ ରାସ୍ତାଘାଟ ଜନବସତି ଅଞ୍ଚଳରେ ପାଣି ଜମିବ । କଟକ ସହରରେ ପୂର୍ବରୁ ୮୮ଟି ସରକାରୀ ଓ ୩୯୦ଟି ଘରୋଇ ଜଳାଶୟ ଥିବାବେଳେ ଏବେ ସେଥିମଧ୍ୟରୁ ୯ଟି ସରକାରୀ ଓ ୧୨୬ଟି ଘରୋଇ ଜଳାଶୟ ପୋତାଯାଇ ଗୃହ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରାଯାଇଛି। ନିର୍ମାଣ କାର୍ଯ୍ୟ ସରିଥିବାରୁ ଏସବୁକୁ ପୁନରୁଦ୍ଧାର କରିବା ବର୍ତ୍ତମାନ ସମୟରେ ମହାନଗର ନିଗମ ପାଇଁ ସେତେଟା ସହଜ ନୁହେଁ। ତେବେ ବିନା ଅନୁମତିରେ ଏସବୁ ନିର୍ମାଣ କରାଗଲା ବେଳେ ସିଏମ୍ସି ରୋକିବା ପାଇଁ ପଦକ୍ଷେପ ନେଲା ନାହିଁ କାହିଁକି? ବର୍ତ୍ତମାନ ମଧ୍ୟ କିଛି କିଛି ଜଳାଶୟ ପୋତି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ମହାନଗର ନିଗମ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନ ନେଇ ଚୁପ୍ ବସିଛି। ଘଟଣା ସମ୍ପର୍କରେ ମହାନଗର ନିଗମ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଯାଇଛି। ଯଦି ସରକାରୀ ପଦକ୍ଷେପ ମନ୍ଥର ହୁଏ ତେବେ ସେସବୁ ଜଳାଶୟ ଉପରେ ମଧ୍ୟ ସ୍ଥାୟୀ ନିର୍ମାଣ ହୋଇଯିବ। ବ୍ୟାବହାରିକ ଦୃଷ୍ଟିକୋଣରୁ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ଆବଶ୍ୟକତା ରହିଛି। ହେଲେ ପ୍ରକୃତିଦତ୍ତ ଜଳାଶୟଗୁଡିକୁ ପୋତିଦେବା ଦ୍ୱାରା ଆମେ ଆଗକୁ ମଧ୍ୟ ଏହିଭଳି ଜଳବନ୍ଦୀ ସମସ୍ୟାର ସାମ୍ନା କରିବା ଛଡ଼ା ଅନ୍ୟ କୌଣସି ବାଟ ନାହିଁ।


