ଦେବଦୀପ ଫାଉଣ୍ଡେସନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ
ବାଲେଶ୍ୱର(ସରୋଜ ପଣ୍ଡା): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ଦେବଦୀପ ଫାଉଣ୍ଡେସନ” ତରଫରୁ ବାଲେଶ୍ୱର ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଅନାଥ ପିଲାମାନଙ୍କ ସହିତ ଏକ ଭବ୍ଯ ଓ ପ୍ରେରଣାଦାୟୀ ରକ୍ଷାବନ୍ଧନ ଉତ୍ସବ ଅତ୍ୟନ୍ତ ଆନନ୍ଦୋଲ୍ଲାସର ସହ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ଅନାବିଳ ସ୍ନେହ, ପବିତ୍ର ବନ୍ଧନ ଏବଂ ସମାଜରେ ମାନବିକତାର ବାର୍ତ୍ତା ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦେବଦୀପ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିରେଖା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ପିଲାମାନଙ୍କ ହାତରେ ସଂଗଠନର କର୍ମକର୍ତ୍ତାମାନେ ରାଖି ବାନ୍ଧିବା ସହ ମିଠା ଖୁଆଇ ମନଭରା ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି ଯେ, କେବଳ ରାଖିପୂର୍ଣ୍ଣିମା ନୁହେଁ, ବରଂ ହୋଲି, ଦୀପାବଳି ଏବଂ ପ୍ରଥମାଷ୍ଟମୀ ଭଳି ଅନେକ ପର୍ବପର୍ବାଣୀ ଆମେ ଏହି ପିଲାଙ୍କ ସହ ନିୟମିତ ଭାବେ ପାଳନ କରିଆସୁଛୁ। ଜଣେ ଭଉଣୀ ଯେପରି ନିଜ ଭାଇ ହାତରେ ରାଖି ବାନ୍ଧି, ଫୁଲ-ଚନ୍ଦନ-ସିନ୍ଦୂର-ଚାଉଳ ଲଗାଇ ବନ୍ଦାପନା କରି ମିଠା ଖୁଆଇଥାଏ, ସେହି ପବିତ୍ର ଭାବନାକୁ ଆମେ ଏହି ଅନାଥ ପିଲାମାନଙ୍କ ସହିତ ଅନୁଭବ କରିଛୁ। ଦୀର୍ଘ ବର୍ଷ ଧରି ଏହି ପରମ୍ପରା ଜାରି ରହିଛି ଏବଂ ଏଥିରୁ ଯେଉଁ ଆତ୍ମିକ ଖୁସି ମିଳେ, ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ଏହି ସୁନ୍ଦର ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମଟିକୁ ଶ୍ରୀମତୀ ଦୀପିକା ପ୍ରିୟଦର୍ଶିନୀ ଜେନା ଅତ୍ୟନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ।


