ଗବେଷକ ନିରଞ୍ଜନ ମେକାପଙ୍କ ବିୟୋଗ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଗବେଷଣା କରୁଥିବା ଗବେଷକ ତଥା ବିଶିଷ୍ଟ ଲେଖକ ନିରଞ୍ଜନ ମେକାପଙ୍କ ହୃଦଘାତରେ ବିୟୋଗ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇ କନ୍ୟା ଓ ଏକ ମାତ୍ର ପୁତ୍ର ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ରାପଡ଼ାର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଇଚ୍ଛାପୁର ନିକଟ ମଧ୍ୟଖଣ୍ଡିସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ରଞ୍ଜିତ ସାହୁ, ବିଜେପି ନାରୀନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନା, ପୂର୍ବତନ ଜିଲା ବିଜେପି ସଭାପତି କିଶୋର ପଣ୍ଡା, ବିଜେପି ନେତା ସୁନାକର ବେହେରା ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କ ବାସଭବନରେ ପ୍ରଫେସର ନନ୍ଦକିଶୋର ପରିଡ଼ା, ଡା. ବିଶ୍ୱପ୍ରକାଶ କାନୁନଗୋ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ବଳଦେବଜୀଉ ଦେବୋତ୍ତର ନ୍ୟାସର ନିବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଡ. ଚୈତନ ଚରଣ ପରିଡ଼ା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ସାହିତ୍ୟିକ ବାସୁଦେବ ଦାସ, ଶୁଭାଂଶୁ ଦାସ, ବଳଦେବ ସେନାର ସଭାପତି ପୁପୁନ ସ୍ୱାଇଁ, ଓଡିଶା ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ଅଜୟ ସାମଲ, ରାଜେଶ ପଣ୍ଡା,ଶିକ୍ଷାବୀତ କାଶିନାଥ ରାଉତରାୟ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ରଚିତ ପୁସ୍ତକ ଗୁଡିକ ମଧ୍ୟରେ କେନ୍ଦ୍ରାପଡ଼ା ‘ରସାବଳି’, ‘ଶ୍ରୀ ବଳଦେବଜୀଉ ଓ ତୁଳସୀକ୍ଷେତ୍ର’, ‘ଇତିହାସ ଅର୍ଗଳୀରେ ବଡ଼କୋଠା ଓ ନରେନ୍ଦ୍ର ପରିବାର’, ‘ଇତିହାସ ପୃଷ୍ଠାରେ ଉଡ୍ର ସଭ୍ୟତା’, ‘ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦଚନ୍ଦ୍ର’, ‘କୁଜଙ୍ଗ ଇତିହାସ’, ‘ଜଗତଜନନୀ ମା’ ଶାରଳା ଓ ଆର୍ଯ୍ୟପୁତ୍ର’ ପ୍ରମୁଖ ପୁସ୍ତକ ଗୁଡିକ ରହିଛି। ଏହା ବ୍ୟତୀତ ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ୫ଶହରୁ ଉର୍ଦ୍ଧ୍ୱ ଆଲେଖ୍ୟ ଓ ପ୍ରବନ୍ଧ ପ୍ରକାଶିତ ହୋଇଛି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ନିଳାଦ୍ରୀ ମୁଖାଗ୍ନି ଦେଇଥିଲେ।


