ଅବସର କାଳୀନ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ଅନ୍ନପୂର୍ଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ  କୃଷ୍ଣଚନ୍ଦ୍ର ରାଉତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଏବିଇଓ ଚତୁର୍ଭୁଜ ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥୁ ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତା ଭାବେ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସହ-ଗୋଷ୍ଠୀ ଶିକ୍ଷାଧୂକାରୀ ସୁରେଶ କୁମାର ଜେନା, ସମାଜସେବୀ  ବିଜୟ କୁମାର ରାଉତ,  ଶିକ୍ଷାବିତ୍  ମୋହନ କୁମାର ମହାନ୍ତି, ଶିକ୍ଷାବିତ୍ କୋଦଣ୍ଡଧର ମହାନ୍ତି, ବିଦ୍ୟାଧର କର, ସାହିତ୍ୟିକ କିର୍ତ୍ତନ ଚରଣ ନାୟକ, ଶିକ୍ଷାବିତ କିଶୋର ଚନ୍ଦ୍ର ରାଉତ, ସଢ଼ା ସରପଞ୍ଚ  ସାଗରିକା ଜେନା, ସମିତି ସଭ୍ୟ ଶ୍ରୀକାନ୍ତ ନାୟକ, ସିଆରସିସି କୃଷ୍ଣଚନ୍ଦ୍ର, ପରିଚାଳନା କମିଟି ସଭାପତି  ଉପେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଓ ଭବିଷ୍ୟତ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଗୁରୁ ବିନା ବିକଶିତ ସମାଜ ଗଠନ ସମ୍ଭବ ନୁହେଁ। ଗୁରୁ ହିଁ ସମାଜର ମାର୍ଗଦର୍ଶିକା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦାୟୀ ଶିକ୍ଷକ କୃଷ୍ଣଚନ୍ଦ୍ର ରାଉତ ତାଙ୍କ ଅଭିଭାଷଣରେ ଶିକ୍ଷକ ସମାଜ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ କ୍ଷୋଭ ପ୍ରକାଶ କରିବା ସହ କାନ୍ଦିଥିଲେ। ସେ ଦୀର୍ଘ ୩୬ ବର୍ଷ କାଳ ଶିକ୍ଷକତା କରି ଅନେକ କୃତ୍ତି ଛାତ୍ରଙ୍କ ଜୀବନ ଗଢ଼ିଥିବା ବେଳେ ଅବସର ପର ଦିନଠାରୁ ନିସ୍ବ ହୋଇ ଘରକୁ ଫେରୁଛନ୍ତି। ଆଜିର ମହଙ୍ଗା ଯୁଗରେ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ। ସରକାର ବ୍ଲକ ଗ୍ରାଣ୍ଡ ସ୍କୁଲ ଗୁଡିକୁ ନିଉ ଆଡେଡ଼ ସ୍କୁଲ ଭାବେ ଘୋଷଣା କରିଥିଲେ ବି ପେନସନ ବ୍ୟବସ୍ଥା କରିନଥିବାରୁ ଅବସର ଜୀବନ ଦୁଃଖମୟ ବୋଲି ସେ ଅବିହିତ କରିଥିଲେ। ସରକାର ତାଙ୍କ ଭଳି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ସୁଵିଚାର କରନ୍ତୁ ବୋଲି ସେ ନିବେଦନ କରିଥିଲେ। ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ, ହେମନ୍ତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ତାଙ୍କ ନିଜ ବସଭାବନରୁ ବାଜା ବଜାଇ, ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍କୁଲ ନିକଟକୁ ପାଛୋଟି ଅଣାଯାଇଥିଲା। ସମସ୍ତ ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ