କୃଷି ଉଦ୍ୟୋଗ ଯୋଜନା ସମୀକ୍ଷା ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷି ବିଭାଗ ପକ୍ଷରୁ ଖରିଫ ପ୍ରସ୍ତୁତି ବୈଠକ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମୀକ୍ଷା ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାର କୃଷି ପ୍ରସ୍ତୁତି ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଜିଲ୍ଲାରେ ମୋଟ ୪,୦୬,୦୦୦ ହେକ୍ଟର ଚାଷଯୋଗ୍ୟ ଜମି ରହିଥିବାବେଳେ ଚଳିତ ଖରିଫ ଋତୁରେ ୨,୧୬,୧୮୦ ହେକ୍ଟର ଜମିରେ ଧାନ ଚାଷ ଏବଂ ୧,୬୯,୮୦୫ ହେକ୍ଟର ଜମିରେ ମାଣ୍ଡିଆ, ମକା, ବାଜରା, ଜୁଆର, ମୁଗ, ବିରି, ହରଡ଼, ଚିନାବାଦାମ, ରାଶି, କପା, ଅଦା, ହଳଦୀ ସହ ବିଭିନ୍ନ ପନିପରିବା ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ୩,୦୨,୧୦୯ ହେକ୍ଟର ଜମି ଜଳସେଚିତ ଥିବାବେଳେ ୧,୦୩,୮୯୧ ହେକ୍ଟର ଜମି ବର୍ଷାନିର୍ଭରଶୀଳ। ଚାଷୀମାନଙ୍କୁ ଆଗୁଆ ସାର ଓ ବିହନ ମହଜୁଦ ରଖିବା ସହ ୩୧ ଜୁଲାଇ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦିଆଯାଉଛି। ଏହାସହ ଶ୍ରୀଅନ୍ନ ଯୋଜନାରେ ଅଧିକ ସଂଖ୍ୟକ ଚାଷୀଙ୍କୁ ସାମିଲ କରିବା ଏବଂ ଚଳିତ ବର୍ଷ ୨୮,୪୦୦ଟି ମୃତ୍ତିକା ନମୁନା ସଂଗ୍ରହ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ କୃଷି ଓ ଅନୁସଙ୍ଗିକ ବିଭାଗର ପ୍ରାୟ ୮୦ଟି ପ୍ରକଳ୍ପ ପାଇଁ ୯୦.୩୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୨୦୨୬–୨୭ ବର୍ଷର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ବ୍ୟାଙ୍କ ଅଧିକାରୀମାନଙ୍କୁ ହିତାଧିକାରୀଙ୍କ ଋଣ ଓ ଅନ୍ୟାନ୍ୟ ଆବେଦନର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ସହ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଏହାର ସୁବିଧା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା, ଡିଏଫଓ ( ମତ୍ସ୍ୟ,) ଭରତ କୁମାର ସାହୁ, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାଶ, ଅପିକଲ ଜିଲ୍ଲା ପରିଚାଳକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହିମାଦ୍ରୀ ସାହୁ, ଡିଆରସିଏସ୍ ଯୋଗମାୟା ସାବତ, କୃଷି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବାସନ୍ତୀଲତା ଶିଆଳ, ଓଡ଼ିଶା ବିହନ ନିଗମର ଜୋନାଲ ମ୍ୟାନେଜର ପ୍ରଣତି ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜଳସେଚନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


