ଶ୍ରୀ ସତ୍ୟସାଇ ପ୍ରେମତରୁ ଅବସରରେ ଚାରାଚୋପଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଶ୍ରୀ ସତ୍ୟସାଇ ପ୍ରେମତରୁ କାର୍ଯ୍ୟକ୍ରମ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ସୋମବାର ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଗବାନ ଶ୍ରୀ ସତ୍ୟ ସାଇବାବାଙ୍କ ଜନ୍ମ ଶତବର୍ଷିକୀ ପାଳନ ଅବସରରେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ପକ୍ଷରୁ ସାରା ଦେଶରେ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅଧୀନରେ ଏକ କୋଟି ଚାରାରୋପଣ ତଥା ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରୟାସ ଜାରି ରହିଛି । ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ପକ୍ଷରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ଚାରାରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ ପ୍ରୟାସ ଚାଲିଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକଟି ଗଛ ଜିଓ ଟ୍ୟାଗିଂ କରାଯାଇ ଶ୍ରୀ ସତ୍ୟସାଇ ସେବା ସଂଗଠନର ୱେବସାଇଟ୍ରେ ଫଟୋ ସହ ଅପ୍ଲୋଡ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ମନୁଷ୍ୟ ସମାଜ ଓ କୀଟପତଙ୍ଗ ତିଷ୍ଟି ରହିବା ପାଇଁ ବୃକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅନ୍ତର୍ଗତ ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ପକ୍ଷରୁ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ସୋମବାର ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ମେଗା ଔଷଧୀୟ ଓ ଛାୟାପ୍ରଦାନକାରୀ ଚାରାରୋପଣ କାର୍ଯ୍ୟକ୍ରମରେ ଗଞ୍ଜାମ-୨ ସାଇ ଜିଲ୍ଲାର ପ୍ରେମତରୁ ସଂଯୋଜକ ଅଜିତ୍ କୁମାର ପଟ୍ଟନାୟକ, ସତ୍ୟସାଇ ସେବା ସମିତିର ଆବାହକ କାମେଶ୍ୱର ଆଚାରୀ, ସୁନାମୋହୀ ସେବା ଗ୍ରୁପର ଆବାହକ ଗୋପାଳକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଚାରାରୋପଣର ଆବଶ୍ୟକତା ଓ ଉପାଦେୟତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଭାରତ ସ୍କାଉଟ୍ସ ଗାଇଡସ୍ ଏବଂ ଜାତୀୟ ସେବା ଯୋଜନା ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମେଗା ଚାରା ରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଡଃ କୁନା ସୁୁନା, ଅଭିଷେକ ବେହେରା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅଜିତ୍ କୁମାର ପଟ୍ଟନାୟକ, ସମର ଶିକ୍ଷାର୍ଥୀ ବାହିନୀର ଅଫିସର ଅଧ୍ୟାପକ ବିକାଶ ଦିଗଲ୍ଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


