ସୁନାମ୍ବ ସାହି ରଥଯାତ୍ରା ସକାଶେ ପ୍ରସ୍ତୁତି ବୈଠକ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଆଗାମୀ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍ ୧୬ ତାରିଖ ଗୁରବାର ଦିନ ଅନୁଷ୍ଟିତ ହେବ ପବିତ୍ର ରଥଯାତ୍ରା। ତିନିଠାକୁର ଭକ୍ତଙ୍କ ଗହଣରେ ନବଦିନ ବ୍ୟାପୀ ମାଉସୀମା ମନ୍ଦିରକୁ ଯିବେ। ଆସନ୍ତା ୧୬ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଉତ୍ସାହ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ସକାଶେ ସୋମବାର ପୂର୍ବାହ୍ନରେ ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ପରିସରରେ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ତହସିଲଦାର ସଙ୍ଗୀତା ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, ଆସିକା ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଯୋଦ୍ଧା କୈଳାଶ ଚନ୍ଦ୍ର ବାରିକ, ଟିପିଏସ୍ଓଡିଏଲ୍ର ଆସିକା ସେକ୍ସନ୍ର ସହକାରୀ ଯନ୍ତ୍ରୀ ଇଂ ରାକେଶ୍ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଅମରେଶ୍ ସାବତ, ଏବିଡିଓ ସୁଶାନ୍ତ କୁମାର ବେହେରା, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା, ପୁର୍ତ୍ତ ବିଭାଗର ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାମକୃଷ୍ଣ ପାଣିଗ୍ରାହୀ, ସୁନାମ୍ବସାହି ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ଆଇନଜୀବୀ ନାରାୟଣ ମୁନୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ କୁମାର ପାଣିଗ୍ରାହୀ ଓ କାହ୍ନୁଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ଆଗାମୀ ରଥଯାତ୍ରା ଦିନ ଶ୍ରୀ ଜିଉଙ୍କ ପହଣ୍ଡି, ରଥଟଣା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଟଣା ରାସ୍ତାର ଦୁଇପାଶ୍ୱର୍ରେ ବ୍ଳିଚିଂ ପାଉଡର ପକାଇ ପରିସ୍କାର ରଖିବା, ପାନୀୟଜଳ, ଆଲୋକୀକରଣ, ଖାଲଢେପ ରାସ୍ତାକୁ ସମତଳ କରିବା, ରଥଯାତ୍ରା ଦିନ ରଥ ଆସିବା ପାଇଁ ଉଦ୍ଧିଷ୍ଟ ସୁନାମ୍ବସାହି- ଲାଲାଗୋର୍ଜୀ ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରାସ୍ତା ପାଶ୍ୱର୍ରେ ଥିବା ଅନାବନା ବୃକ୍ଷର ଗଛଡାଳ କାଟିବା, ରଥଟଣାର ଅବ୍ୟବହିତ ପୂର୍ବରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ଓ ରଥଟଣା ଶେଷ ପରେ ବିଦ୍ୟୁତ ସେବାକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା, ଶୃଙ୍ଖଳିତ ରଥାଟଣା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ସକାଶେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବା, ପାନୀୟ ଜଳ ଓ ପରିମଳ, ବିଦ୍ୟୁତ୍ ଏବଂ ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବା ସାଙ୍ଗକୁ ରଥଯାତ୍ରା ସମୟରେ ଯେଭଳି କୌଣସି ଅବ୍ୟବସ୍ଥା ନହୁଏ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଆସିକା ସହରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସାମିଲ ହେବାକୁ ଥିବା ବେଳେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ୧୬ ତାରିଖ ଗୁରବାର ଦିନ ଅନୁଷ୍ଟିତ ହେବାକୁ ଥିବା ରଥଯାତ୍ରା ସମୟରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ସୁନାମ୍ବ ସାହିରୁ ବାହାରି ଲାଲାଗୋର୍ଜୀ ଛକ ନିକଟରେ ପହଁଞ୍ଚିବା ପରେ ଦାରୁବ୍ରହ୍ମ ନବଦିନ ବ୍ୟାପି ଆଡପ ମଣ୍ଡପରେ ପୂଜାପାଇବେ। ଚଳିତ ବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ଆସିକା ସହରରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଆଗାମୀ ରଥଯାତ୍ରାକୁ ଉତ୍ସାହ ଓ ଉଦ୍ଦୀପନାର ସହ ସରସ ସୁନ୍ଦର ତଥା ଶୃଙ୍ଖଳିତ ଭାବେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ସମାପ୍ତ କରିବା ସକାଶେ ଅନୁଷ୍ଠିତ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ଓ ସଚେତନ ନାଗରିକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମୂଲ୍ୟବାନ୍ ମତାମତ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।


