ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଓ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ମାଡ଼ ମାରିବା ଓ ଯୋଜନାବଦ୍ଧ ଷଡ଼ଯନ୍ତ୍ର ମାମଲାରେ ବାଲେଶ୍ୱର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଲେଶ୍ୱର କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚାମେଲିଙ୍କର ଶାରିରୀକ ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ମାଡ଼ ମାରି କୋର୍ଟ ଚାଲାଣ କରାଯିବା ଏବଂ ଚିକିତ୍ସିତ ହେଉଥିବାବେଳେ ଡାକ୍ତରଖାନା କ୍ୟାବିନ୍ ଭିତରେ ଛାତିରେ କ୍ୟାମେରା ଲଗାଇ ଗୁପ୍ତଚର ବୃତ୍ତି କରାଯିବା ଏକ ଗଭୀର ଷଡ଼ଯନ୍ତ୍ର ବୋଲି ହୃଦବୋଧ ହେଉଛି। ସ୍ଥାନୀୟ ବିଧାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଓ ବିଧାୟକଙ୍କ କିଛି ପାଖ ଲୋକ ମିଳିତ ଭାବେ ତାଙ୍କ ବିରୋଧରେ ଲାଗିଥିବାରୁସେ ମାନସିକ ଭାରସାମ୍ୟ ହରାଇବାର ଆଶଙ୍କା ରହିଛି। ଏପରିକି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଧ୍ୟ ଥାନାରେ ସିସି କ୍ୟାମେରା ତଥ୍ୟକୁ ଛେଡ଼ ଛାଡ଼ କରି ଗଣମାଧ୍ୟମରେ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଜଣେ ମହିଳା ସରପଞ୍ଚ ପ୍ରତି ଏଭଳି ଆଚରଣ ନାରୀ ଜାଗରଣ ଏବଂ ଆମ ଗଣତନ୍ତ୍ର ପ୍ରତି ଏକ କୁତ୍ସିତ ଉପହାସ ବୋଲି କୁହାଯାଉଛି। ତେଣୁ ଏ ସମସ୍ତଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାମେଲି ଓଝାଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା ପାଇଁ ଗାନ୍ଧୀ ଶାନ୍ତୀ ପ୍ରତିଷ୍ଠାନ ତରଫରୁ ଦାବି କରାଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବରିଷ୍ଠ ଗାନ୍ଧୀବାଦୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱରେ ଏହି ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହମ୍ମଦ ଇସଲାମ, ପ୍ରତିମା ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, କବିତା ରାଣୀ ଦାସ, ସକିଲା ବାନୋ, ଇନ୍ତେଖାବ୍ ଅଲ୍ଲୀ ଖାନ୍‌, ଅରୁଣ ଜେନା, ନିରଞ୍ଜନ ପରିଡ଼ା, ଜ୍ୟୋତ୍ସ୍ନାରାଣୀ ସେନାପତି, ତପନ କୁମାର ଦାସ, ତୁଷାରକାନ୍ତି ମହାପାତ୍ର ଓ ଶାନ୍ତି ବିସି ପ୍ରମୁଖଙ୍କ ଉପସ୍ଥିତିରେ ଉପସ୍ଥାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ