ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ସ୍ମାରକପତ୍ର

ଦିଗପହଣ୍ଡି,୧୮|୫(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀ ମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଏପରିକି ସାଧାରଣ ଜନତା ଦୁର୍ବ୍ୟବହାର ର ଶିକାର ହେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। କିଛି ନିର୍ଦ୍ଦିଷ୍ଟ ଅଧିକାରୀ  ପଞ୍ଚାୟତିରାଜ ନିୟମର ଉଲଂଘନ କରି ମନଇଛା କାର୍ଯ୍ୟ କରୁଛନ୍ତି। ପ୍ରତିବାଦରେ ସୋମବାର  ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ପଦ୍ମନାଭପୁର ଗ୍ରାମ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ବର ଶୈବପୀଠ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।  ସରପଞ୍ଚ ସଂଘ ବ୍ଲକ ସଭାପତି ତଥା କରପଡା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ବହୁ ସଂଖ୍ୟକ ସରପଞ୍ଚ ସେମାନଙ୍କ ସମସ୍ୟା ନେଇ  ସଂଘ ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିର୍ଦ୍ଦିଷ୍ଟ ପ୍ରଶାସନିକ  ଅଧିକାରୀ ଙ୍କ ହାମବଡା ନୀତି କୁ ତୀବ୍ର ସମାଲୋଚନା କରିବା ସହ ଏଠାରୁ ତାଙ୍କୁ ଶୀଘ୍ର ବଦଳି କରିବାକୁ ଦାବି କରିଥିଲେ। ପରେ ସରପଞ୍ଚ ସଂଘ ପକ୍ଷରୁ ପ୍ରସ୍ତୁତ ୮ ଦଫା ଦାବି ପୂରଣ ନେଇ ସ୍ଥାନୀୟ ବିଧାୟକ , ବ୍ରହ୍ମପୁର ଏମ.ପି ଙ୍କୁ ଅନଲାଇନ୍  ମାଧ୍ୟମରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରେରଣ  କରାଯାଇଥିଲା । ବ୍ଳକ କାର୍ଯ୍ୟାଳୟର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସରକାରୀ ନୀତି ନିୟମକୁ ଅଣଦେଖା କରାଯାଉଛି।ପ୍ରତିବାଦ କଲେ ଜନ ପ୍ରତିନିଧି ଙ୍କୁ ଅପମାନ କରାଯାଉଥିବା ସରପଞ୍ଚ ସଂଘ ପକ୍ଷରୁ ସ୍ମାରକପତ୍ର ରେ ଦର୍ଶାଯାଇଛି।  ସାମାଜିକ ସୁରକ୍ଷା ଯୋଜନା ରେ  ଭତ୍ତା ପାଇଁ ହିତାଧିକାରୀ ଚୟନ , ରାସନ୍ କାର୍ଡ ସମେତ ଗ୍ରାମସଭା ରେ ପାରିତ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କ ତାଲିକା କୁ ସରପଞ୍ଚ ମାନଙ୍କ ସୁପାରିଶ ରେ ପ୍ରଶାସନିକ ମଞ୍ଜୁରୀ କରାଯିବା । ବିଏଫଓ ମାନଙ୍କୁ  ବ୍ଳକ କାର୍ଯ୍ୟାଳୟରୁ ସାମୁହିକ ବଦଳି କରାଯିବା। ସରପଞ୍ଚଙ୍କ ବିନା ସୁପାରିଶରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଛୁଟି ମଞ୍ଜୁର କରାନଯିବା , ବିଡ଼ିଓ ଓ କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ ଅଧିକାରୀ ମାନଙ୍କ  ପକ୍ଷରୁ ହେଉଥିବା ଦୁର୍ବ୍ୟବହାର ବନ୍ଦ କରାଯିବା। ବହୁ ପ୍ରତିକ୍ଷୀତ ଛେଳିଗଡ ଜଳସେଚନ ଯୋଜନା ଓ ଘୋଡାହାଡ ଡ଼୍ୟାମ ରୁ ଚାଲିଥିବା ମେଗା ଜଳଯୋଗାଣ ପ୍ରକଳ୍ପ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବା। ଗୋପାଳପୁର ଠାରୁ ଭାୟା ଦିଗପହଣ୍ଡି ,ଭୀଷ୍ମଗିରି ଦେଇ ରାୟଗଡ଼ା ନୂତନ ରେଳ ଲାଇନ୍ ର ପୂର୍ବ ସର୍ଭେ କୁ କାର୍ଯ୍ୟକାରୀ କରିବା।  ଗ୍ରାମସଭାର ବିନା ଅନୁମୋଦନ ରେ ଭିବିରାମଜି ଯୋଜନାରେ ସାମିଲ ଶ୍ରମିକଙ୍କୁ  ତାଲିକାରୁ ବାଦ୍ ଦିଆନଯିବା। ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଅନୁମୋଦନ ପୂର୍ବରୁ  ସରପଞ୍ଚ ଙ୍କ ମତାମତକୁ ପ୍ରାଧାନ୍ୟ ଦେବା ପ୍ରଭୃତି ସରପଞ୍ଚ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ବୈଠକରେ ସରପଞ୍ଚ ମନୋରଞ୍ଜନ ଗୈାଡ , ରଞ୍ଜନ କୁମାର ସାହୁ , ଲିଙ୍ଗରାଜ ଦୋରା , ବିଜୟ କୁମାର ପ୍ରଧାନ , ସୀତାରାମ ସେଠୀ , ଦୀନବନ୍ଧୁ ସେଠୀ , ରଶ୍ମୀତା ପ୍ରଧାନ , ଗିତାଞ୍ଜଳୀ ଜାନୀ , ବି. ସନ୍ଧ୍ୟାରାଣୀ ସୁବୁଦ୍ଧି , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ, ଚିତ୍ରସେନ ଗୈାଡ , ରବିଚନ୍ଦ୍ର ଗୈାଡ  ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ବିଡ଼ିଓ ଅନାମିକା ପାଣ୍ଡେ ଙ୍କୁ ଏନେଇ ପଚାରିବାରୁ ସେ ସମସ୍ତ ଅଭିଯୋଗ ଗୁଡ଼ିକୁ ଅସ୍ବୀକାର କରିଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇଁ ହିତାଧିକାରୀ ବୃନ୍ଦ ଅନଲାଇନ୍ ରେ ଆବେଦନ କରୁଛନ୍ତି।ପଞ୍ଚାୟତ ରେ ଭତ୍ତା ପାଉଥିବା କୌଣସି ହିତାଧିକାରୀ ମୃତ୍ୟୁବରଣ କଲେ ସେହି ପଞ୍ଚାୟତ ର ଦରଖାସ୍ତ କରିଥିବା ହିତାଧିକାରୀ ଙ୍କୁ ଡେଥ୍ ଭେକେନସି ଅନୁଯାୟୀ ଭତ୍ତା ପାଇଁ ଚୟନ କରାଯାଉଛି।ତେଣୁ ସରପଞ୍ଚ ବୃନ୍ଦ ତାଙ୍କ ପଞ୍ଚାୟତ ରେ ୧୦ ଜଣଙ୍କୁ ଭତ୍ତା ଦେବା ପାଇଁ ସୁପାରିଶ କଲେ ତାହା ସମ୍ଭବ ନୁହେଁ।ବିଭିନ୍ନ ପ୍ରକଳ୍ପ ପାଇଁ ଗ୍ରାମସଭା ର ଅନୁମୋଦନ କରାଯାଉଛି।ତେଣୁ ସରପଞ୍ଚ ମାନଙ୍କ ମତାମତ କୁ ହିଁ ଗ୍ରାମସଭାରେ ଅଗ୍ରାଧିକାର ଦିଆଯାଉଛି । କୌଣସି ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ବ୍ଲକ କାର୍ଯ୍ୟାଳୟରେ ଅଣଦେଖା କିମ୍ବା ଅପମାନିତ ,ଦୁର୍ବ୍ୟବହାର କରାଯିବା ଅଭିଯୋଗ ନୀରାଧାର ଓ ଅସତ୍ୟ । କିଛି ନିର୍ଦ୍ଧିଷ୍ଟ ଅଧିକାରୀ ଙ୍କ ମନୋମୁଖୀ କାର୍ଯ୍ୟକଳାପ ତାଙ୍କ ଦୃଷ୍ଟି କୁ ଆସିନାହିଁ।ତେଣୁ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ସେ ତଦନ୍ତ କରି ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ