ସତ୍ୟସାଇ ବାବାଙ୍କ ଆରାଧନା ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ଯାହାଙ୍କ ପ୍ରେମଶକ୍ତିର ପରିଚୟ ପାଇଁ ଜଗତବାସୀଙ୍କ ମନରେ ଆଶ୍ୱାସନା ଆସେ, ଯାହାଙ୍କ ଜ୍ଞାନଶକ୍ତିର ପରିଚୟ ପାଇଁ ବୈଜ୍ଞାନିକ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ, ରାଜନେତା, କ୍ରିକେଟିୟର ଓ ସାଧାରଣ ଜନତା ନତମସ୍ତକ ହୁଅନ୍ତି, ଯାହାଙ୍କ ଧର୍ମ ଓ କର୍ମର ନିଦର୍ଶନ ଦେଖିଲେ ସୁବର୍ଣ୍ଣଯୁଗର ଆଗମନର ଆଭାସ ମିଳେ, ଯାହାଙ୍କ ଦିବ୍ୟଶକ୍ତିର ଝଲକ ଅବିଶ୍ୱାସ୍ୟ ପୁରାଣ ପୃଷ୍ଠାକୁ ବିଶ୍ୱାସଯୋଗ୍ୟ କରାଏ, ସେଭଳି ଜଣେ ପରମ ପୁରୁଷ ଭଗବାନ ସତ୍ୟସାଇ ବାବାଙ୍କ ଆରାଧନା ଦିବସ ଶୁକ୍ରବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ପାଳିତ ହୋଇଯାଇଛି । ଆରାଧନା ଦିବସ ଅବସରରେ ସତ୍ୟସାଇ ସେବା ସମିତିର ଶ୍ରଦ୍ଧାଳୁଭକ୍ତ ମାନେ ଶୁକ୍ରବାର ଭୋର ସମୟରୁ ମନ୍ଦିରରେ ରୀତିନୀତି ଅନୁଯାୟୀ ଓଁକାରମ୍‌, ସୁପ୍ରଭାତମ୍‌, ବେଦପାଠ, ଭଜନ, ଷୋଡଶ ଉପଚାରପୂଜା, ନାରାୟଣ ସେବା ସାଙ୍ଗକୁ ସତ୍ୟ ସାଇବାବାଙ୍କ ଫଟୋ ଚିତ୍ର ନିକଟରେ ପୂଜାର୍ଚ୍ଚନା କରିବା ସହ ସାଇ ଭକ୍ତମାନେ ଭଗବାନ ସତ୍ୟସାଇ ବାବାଙ୍କ ଭଜନ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଆଧ୍ୟାତ୍ମିକ ସମ୍ମିଳନୀ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ବହୁ ସାଇ ଆଶ୍ରିତ ଉଦ୍‌ବୋଧନ ଦେଇ ଭଗବାନ ସତ୍ୟସାଇ ବାବାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ମଣିଷ ଜୀବନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ ଭଗବାନ ସତ୍ୟସାଇ ବାବାଙ୍କ ବାଣୀ ଗୁଡିକ ବେଦ ଉପନିଷଦର ବାଣୀସମ ଜୀବନ୍ତ ଓ ଅମର ବୋଲି ପ୍ରକାର ଯେଉଁ ପଦ୍ଧତିରେ ନାମ ସଂକୀର୍ତ୍ତନ ହେଲେ ସର୍ବାଧିକ ଫଳ ମିଳେ, ଅନ୍ତର ପବିତ୍ର ହୁଏ, ନିଜ ହୃଦୟସ୍ଥ ଆତ୍ମଶକ୍ତିର ପ୍ରସ୍ଫୁଟନ ଘଟେ ସେ ସୂତ୍ର ଗୁଡିକ ଭଗବାନ ସତ୍ୟସାଇ ବାବାଙ୍କ ମୁଖରେ ସୁଦ୍ଧ ସ୍ଫଟିକ ପରିଷ୍କାର ଭାବେ ଶୋଭା ପାଇଆସୁଥିଲା ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାର କରି ମନ ଭିତରେ ସ୍ନେହ ଓ ପ୍ରେମ ଭାବନା ରହିଲେ ଆମେ ବାବାଙ୍କୁ ନିଶ୍ଚିତ ପାଇବା ଓ ବାବାଙ୍କ ଆଶୀର୍ବାଦ ଆମ ଉପରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଭଗବାନ ସତ୍ୟସାଇ ବାବାଙ୍କ ଏହି ଆରାଧନା ଦିବସ କାର୍ଯ୍ୟକ୍ରମକୁ ଆବାହକ ଏନ୍‍.କାମେଶ୍ୱର ଆଚାରୀ, ଆଧ୍ୟାତ୍ମିକ ସଂଯୋଜକ ସନ୍ତୋଷ ସେଠୀ, ଆଧ୍ୟାତ୍ମିକପ୍ରେମୀ ଧନଞ୍ଜୟ ମହାପାତ୍ର, ମନୋଜ କୁମାର ଦାଶ, ମନୋଜ କୁମାର ମିଶ୍ର, ପ୍ରଦୀପ କେଶରୀ ରାଉତ, ଭବାନୀ ପଟ୍ଟନାୟକ, ମାଲେଶ୍ୱର ପାତ୍ର, ଲକ୍ଷ୍ମୀ ରଥ, ମାଧୁରୀ ସ୍ୱାଇଁ, ଜୟପ୍ରଦା ମହାପାତ୍ର, ବିଦ୍ୟାଧର ଖଣ୍ଡୁଆଳ, ଭି.କ୍ରିଷ୍ଣାସ୍ୱାମୀ ରାଓ, ସନ୍ୟାସୀ ନାହାକ, ପ୍ରଦୀପ ସ୍ୱାଇଁଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶହ ଶହ ସାଇ ଆଶ୍ରିତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ୧୯୨୬ ମସିହା ନଭେମ୍ବର ମାସ ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟପତି ଗ୍ରାମରେ ଭଗବାନ ସତ୍ୟସାଇ ବାବା ଜନ୍ମ ଗ୍ରହଣ କରି ୨୦୧୧ ମସିହା ଏପ୍ରିଲ୍ ମାସ ୨୪ତାରିଖରେ ଶରୀର ତ୍ୟାଗ କରିଥିଲେ। ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଏହି ମହାସମାଧି ଦିନଟିକୁ ଆରାଧନା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ଜଣାପଡିଛ। ଆସିକା ସତ୍ୟସାଇ ସେବା ଅଧୀନସ୍ଥ ପିତଳ, ସୁନାମୋହି, କୁଲାଗଡ, ବେଣିଆ, ବେଣାପାଟ ସମେତ ଆଖପାଖ ଗ୍ରାମାଞ୍ଚଳରେ ଥିବା ଭଜନ ମଣ୍ଡଳୀ ପକ୍ଷରୁ ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଗବାନ ସତ୍ୟସାଇ ବାବାଙ୍କ ଆରାଧନା ଦିବସ ପାଳିତ ହୋଇଯାଇଛି । ଆଧ୍ୟାତ୍ମିକ ଜଗତର ଅନ୍ୟତମ ସିଦ୍ଧ ପୁରୁଷ ସତ୍ୟସାଇ ବାବା ସେବା, ତ୍ୟାଗ ଓ ଦିଗ୍‍ଦର୍ଶନ ମାଧ୍ୟମରେ କୋଟି କୋଟି ଭକ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ସାରା ଜୀବନ ସେ ମାନବ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଆସିକା ସତ୍ୟସାଇ ସମିତି ପକ୍ଷରୁ ଭଗବାନ ବାବାଙ୍କ ୧୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସତ୍ୟସାଇ ବାବା ଆଜି ସ୍ୱଦେହରେ ନାହାନ୍ତି ସତ କିନ୍ତୁ ତାଙ୍କର ଅନୁଗ୍ରହ ଏବେ ମଧ୍ୟ ଭକ୍ତଙ୍କ ମଧ୍ୟରେ ଜୀବିତ ହୋଇରହିଛି । ଏପ୍ରିଲ ମାସ ୨୪ ତାରିଖରେ ଭଗବାନ ବାବାଙ୍କ ମହାପ୍ରୟାଣ ଦିବସକୁ ଆରାଧନା ଦିବସ ଭାବେ ପାଳନ କରାଯାଇଆସୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ