ଆଜି ବିଶ୍ୱ ମ୍ୟାଲେରିଆ ଦିବସ
ଆସିକା (ୱାଇଏନ୍ଏସ୍) :ଆଜି ଅର୍ଥାତ୍ ଏପ୍ରିଲ ମାସ ୨୫ ତାରିଖରେ ପାଳିତ ହେବ ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆର କାରଣ, ଲକ୍ଷଣ ଏବଂ ପ୍ରତିକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ମାସ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ମ୍ୟାଲେରିଆ ଏକ ଜ୍ୱର ଭାବେ ଜଣାଶୁଣା । ସୁସ୍ଥ ମଣିଷର ଶରୀରକୁ କେତେକ ନିର୍ଦ୍ଦିଷ୍ଟ ମଶା କାମୁଡିବା କିମ୍ବା ଦଂଶନ କରିବା ଦ୍ୱାରା ମ୍ୟାଲେରିଆ ସଂକ୍ରମିତ ହୋଇଥାଏ । ସବୁ ପ୍ରକାରର ମଶା ମ୍ୟାଲେରିଆ ସଂକ୍ରମଣ କରିନଥାନ୍ତି । କେବଳ ଯେଉଁ ମାଈ ଆନୋଫିଲିସ୍ ମଶାର ଲାଳଗ୍ରନ୍ଥିରେ ମ୍ୟାଲେରିଆ ଜୀବାଣୁ ଥାଏ ସେହି ମଶା କାମୁଡିଲେ କିମ୍ବା ଦଂଶନ କଲେ ହିଁ ମ୍ୟାଲେରିଆ ସଂକ୍ରମିତ ହୋଇଥାଏ । ମଶା କାମୁଡିବାର ୧୪ ରୁ ୨୧ ଦିନ ମଧ୍ୟରେ ଜ୍ୱର ହୁଏ ଓ ଗୋଟିଏ ମ୍ୟାଲେରିଆ ରୋଗୀ ଠାରୁ ଅନେକ ବ୍ୟକ୍ତିଙ୍କୁ ରୋଗ ବ୍ୟାପିଥାଏ । ମ୍ୟାଲେରିଆ ରୋଗ ହେଲେ ଶରୀରରେ ଜ୍ୱର ବୃଦ୍ଧି ପାଇବା ସହ ଶୀତ ଲାଗିବା ସାଙ୍ଗକୁ ମୁଣ୍ଡବ୍ୟଥା ହୋଇଥାଏ ଏପରିକି ଖାଦ୍ୟ ଖାଇବାକୁ ଅରୁଚି ଲାଗିବା ସହ ବାନ୍ତି ହୋଇଥାଏ ଏବଂ ଅତ୍ୟଧିକ ଶୋଷ ସାଙ୍ଗକୁ ଦୁର୍ବଳ ମଧ୍ୟ ଲାଗିଥାଏ । ତେଣୁ ଶରୀରରେ ମ୍ୟାଲେରିଆ ଚିହ୍ନଟ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାର ଆବଶ୍ୟକତା ଜରୁରି । ମ୍ୟାଲେରିଆ ନିରାକରଣ, ପ୍ରତିକାର ଓ ପ୍ରତିଶୋଧକ ନିମନ୍ତେ ସଚେତନତା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରତ୍ୟେକ ବର୍ଷ ଏକ ବାର୍ତ୍ତା ଦିଆଯାଇଥାଏ । ଚଳିତବର୍ଷର ବାର୍ତ୍ତା ହେଉଛି ମ୍ୟାଲେରିଆ ଶେଷ କରିବାକୁ ପ୍ରତିବଦ୍ଧ: ଏବେ ଆମେ କରିପାରିବା । ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷା ଋତୁରେ ହୋଇଥାଏ ଏବଂ ମ୍ୟାଲେରିଆ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ସାଙ୍ଗକୁ ଘର ଓ ଆଖପାଖରେ ଥିବା ବଣବୁଦାକୁ ସଫା ରଖିବା ସହିତ ପାଣି ନ ଜମିବା ଦିଗରେ ପଦକ୍ଷେପ ନେବା ଏବଂ ମଶାରି ଟାଣି ଶୋଇବା ନିତାନ୍ତ ଆବଶ୍ୟକ । ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


