୧୦୯ ବର୍ଷ ପରେ ବିଦ୍ୟାଳୟକୁ ମିଳିବ ଜମି ମାଲିକାନା

କଟକ, (ଓ୍ବାଇଏନଏସ) : କଟକର ଐତିହାସିକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୟୁନିଟ୍-୧୪ ନୟାସଡ଼କ ମୌଜାର ଯେଉଁ ୬.୪୮୩ ଏକର ସରକାରୀ ଜମିରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ରହିଛି ଉକ୍ତ ଜମିର ମାଲିକାନା ସ୍କୁଲ୍କୁ ପ୍ରଦାନ କରାଯିବ । ସରକାରୀ ପ୍ରକ୍ରିୟା ଅନୁସାରେ, ପୂର୍ତ୍ତ ବିଭାଗ ମାଲିକାନାରେ ଥିବା ଏହି ଜମି ପ୍ରଥମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ଏହି ଜମିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ନାଁରେ ହସ୍ତାନ୍ତର କରାଯିବ । ଜମି ମାଲିକାନା ମିଳିବା ଦ୍ୱାରା ଦେଢ଼ଶହ ବର୍ଷର ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ଆଉ ବାଧା ରହିବ ନାହିଁ ବୋଲି ଆଶା କରାଯାଉଛି । ୧୮୬୯ ମସିହାରେ ଅବିନାଶ ଚାଟାର୍ଜୀ ଉଦ୍ୟମରେ ତାଙ୍କ କାଳୀଗଳି ସ୍ଥିତ ବାସଭବନର ଦାଣ୍ଡଘରେ ମାତ୍ର ୬ଜଣ ଛାତ୍ରୀଙ୍କୁ ନେଇ କଟକ ହିନ୍ଦୁ ବାଳିକା ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପରେ ତତ୍କାଳୀନ କମିସନର ଟି.ଇ.ରେଭେନ୍ସାଙ୍କ ନାମ ଅନୁସାରେ ସ୍କୁଲ୍ର ନାଁ ‘ରେଭେନ୍ସା ବାଳିକା ବିଦ୍ୟାଳୟ’ ରଖାଗଲା । ୧୮୭୩ ମସିହାରେ ଉକ୍ତ ବିଦ୍ୟାଳୟଟି ସରକାରୀ ସ୍ୱୀକୃତି ଲାଭ କରିଥିଲା । ବିଦ୍ୟାଳୟକୁ ମାସିକ ୧୫ଟଙ୍କା ସରକାରୀ ସାହାଯ୍ୟ ପ୍ରଦାନ କରାଗଲା । ୧୯୧୭ ମସିହା ଜାନୁୟାରୀ ୬ତାରିଖରେ ଚୌଧୁରୀ ବଜାର ସ୍ଥିତ ଗୌରୀଶଙ୍କର ପାର୍କ ସମ୍ମୁଖରେ ଥିବା ଜମିରେ ଏହି ସ୍କୁଲ ପ୍ରତିଷ୍ଠା କରାଗଲା । ସେବେଠାରୁ ଅର୍ଥାତ୍ ଦୀର୍ଘ ୧୦୯ ବର୍ଷ ହେଲାଣି ଏହି ଜମି ସ୍କୁଲ୍ ନାଁରେ ନଥିଲା । ଜମିର ମାଲିକାନା ସ୍କୁଲ୍ ପ୍ରଦାନ କରିବା ପାଇଁ ପୂର୍ବରୁ ବହୁବାର ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା । ତେବେ ଏବେ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ୧୦୯ ବର୍ଷ ପରେ ଏହି ଜମି ସ୍କୁଲ୍ ନାଁକୁ ଆସିବାକୁ ଯାଉଛି । ଶୈଳବାଳା ଦାସ (ବିଲାତରୁ ଶିକ୍ଷାଲାଭ କରିଥିବା ପ୍ରଥମ ମହିଳା), ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ, ପ୍ରସିଦ୍ଧ ନାରୀକବି ବିଦ୍ୟୁତପ୍ରଭା ଦେବୀ, ପ୍ରଥମ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ସ୍ୱନାମଧନ୍ୟା ଚିକିତ୍ସିକା ଡାକ୍ତର ନିରୂପମା ରଥ, ବିଶିଷ୍ଟ ଲେଖିକା ମନୋରମା ମହାପାତ୍ର, ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କ ଭଳି ବହୁ ଖ୍ୟାତନାମା ବ୍ୟକ୍ତିତ୍ୱ ରେଭେନ୍ସା ବାଳିକା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଛନ୍ତି । ୨୦୨୩ ମସିହାରେ ସ୍କୁଲ୍ ୧୫୦ତମ ପୂର୍ତ୍ତି ଉତ୍ସବ ପାଳନ କରିଥିଲା । ତତ୍କାଳୀନ ସରକାର ଏହାର ବିକାଶ ପାଇଁ ଯୋଜନା କରିଥିଲେ। ସେହିପରି ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍କୁଲ୍ ପାଇଁ ୮୯.୬୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । କିନ୍ତୁ ଏହି ସର୍ବପୁରାତନ ବାଳିକା ସ୍କୁଲ୍ ନାମରେ ଜମି ନଥିବାରୁ ପ୍ରକଳ୍ପ କାର୍ଯ୍ୟ ପ୍ରଭାବିତ ହେଉଥିଲା । କିନ୍ତୁ ଏବେ ଜମି ସମସ୍ୟା ଦୂର ହେବାକୁ ଯାଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖାତା ନମ୍ୱର ୧୪୫୭ରେ ରେକର୍ଡଭୁକ୍ତ ଏହି ଜମି ବର୍ତ୍ତମାନ ପୂର୍ତ୍ତ ବିଭାଗ ନାମରେ ରହିଛି । ଏହି ଜମିକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଚୁ ଦେବା ପାଇଁ ଅନୁମୋଦନ ମିଳିଛି । ଏହି ଜମି ହସ୍ତାନ୍ତର ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭବିଷ୍ୟତ ବିକାଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ଶିକ୍ଷାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ଜମି ଉପଲବ୍ଧ ହେବା ଦ୍ୱାରା ଶିକ୍ଷାଦାନ ଭିତ୍ତିଭୂମିର ବିସ୍ତାର, ଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ବିକାଶ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଶିକ୍ଷା ସମ୍ପର୍କିତ ଆବଶ୍ୟକତା ପୂରଣର ସୁଯୋଗ ସୃଷ୍ଟି ହୋଇପାରିବ । ତେବେ ଜମିର ବିଧିବଦ୍ଧ ହସ୍ତାନ୍ତର ପରେ ଏହାର ବ୍ୟବହାର ଓ ବିକାଶ ଯୋଜନା କିପରି କାର୍ଯ୍ୟକାରୀ ହେବ, ତାହା ଉପରେ ଏବେ ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ