ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ’ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ‘ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରଚାର ମେଳା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତା ୧୫-୧୨-୨୦୨୫ ରିଖ ଠାରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିବସ ଥିଲା ।ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିଷୟ ଅନ୍ତର୍ଭୁକ୍ତ ଥିଲା l ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିଡ଼ିଓ ଏବଂ ରିଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ, କାରିଗରୀ ତଥା ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଛାତ୍ରଛାତ୍ରୀମାନେ ଭିଡିଓ ଏବଂ ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ ଉତ୍କଳର ପର୍ବପର୍ବାଣୀ ଓ ଏହାର ମହତ୍ତ୍ୱ ‘ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍କଳର ବାରମାସରେ ତେର ପର୍ବ ସମେତ ଆଦିବାସୀ ସମ୍ପ୍ରଦାୟର ପର୍ବ ତଥା ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବିଭିନ୍ନ ପର୍ବ ତାହାର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିବା ସହ ଉତ୍କଳକୁ ସର୍ବ ଧର୍ମ ସମନ୍ୱୟର କ୍ଷେତ୍ର ଭାବରେ ଦର୍ଶାଇଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ଏକ ପାଠଚକ୍ରର ଆୟୋଜନ ହୋଇଥିଲା , ଯାହାର ଶୀର୍ଷକ ଥିଲା ‘ ଉତ୍କଳର ଜଗନ୍ନାଥ ସଂସ୍କୃତି’ ।ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ଶାସ୍ତ୍ରବିତ୍ ,ବକ୍ତା ତଥା ଗଞ୍ଜାମ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍) ନିଜ ବକ୍ତବ୍ୟରେ ଗଞ୍ଜାମର ବିଭିନ୍ନ ସ୍ଥାନର ଐତିହାସିକ ବିଶେଷତ୍ଵ ବର୍ଣ୍ଣନା କରିବା ସହ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡ଼. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଅନ୍ତିମ ଦିବସର କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ବିଧିବଦ୍ଧ ଭାବେ ଉଦ୍ ଘାଟନ କରିଥିଲେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ଼. ମନୋଜ କୁମାର ପଟ୍ଟନାୟକ। ଓଡ଼ିଆ ବିଭାଗ ଛାତ୍ର ଶକ୍ତି ଓ ସୁମନଙ୍କ ଦ୍ଵାରା ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା। ଏହା ସହ ନିଜ ଉଦ୍ ଘାଟନୀ ବକ୍ତବ୍ୟରେ ଡ଼. ମନୋଜ କୁମାର ପଟ୍ଟନାୟକ ‘ ଆତ୍ମନିର୍ଭର ଭାରତ ‘ କାର୍ଯ୍ୟକ୍ରମର ଉପଯୋଗୀତା ଓ ପ୍ରାସଙ୍ଗିକତା ଦର୍ଶାଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଛାତ୍ରକଲ୍ୟାଣ ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ଼. ଉଷାରାଣୀ ରଥ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀ ପ୍ରତ୍ୟୁଷ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର ହେବା ନିମନ୍ତେ ଆହ୍ବାନ ଦେଇଥିଲେ । ଅନ୍ତିମ ପର୍ଯ୍ୟାୟରେ ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ସ୍ଵର୍ଣ୍ଣଲତା ବିଷୋୟୀ। ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବାରେ ବେଶ ସହାୟକ ହୋଇଥିଲା l


