ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଶିବନାରାୟଣପୁର କେନାଲ ସଫେଇ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କ ଉଦ୍ୟମରେ ଶିବନାରାୟଣପୁର କେନାଲ ସଫା ହୋଇଛି। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ କେନାଲକୁ ସଫା ସୁତୁରା କରାଯାଇ ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଗାଁରେ ପାଣି ପଶିବା ସହିତ ଅନେକ ଲୋକଙ୍କ ଚାଷ ନଷ୍ଟ ହୋଇଥିଲା। ଏପରିକି ଅନେକ ଚାଷୀଙ୍କ ପନି ପରିବା ଚାଷ କ୍ଷତି ହୋଇଥିବା ବେଳେ ଅନେକ ଚାଷୀଙ୍କ ଧାନ ତଳି ସବୁ ପଚି ନଷ୍ଟ ହୋଇଯାଇଥିଲା। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଅନୁଧ୍ୟାନ କରି ଜଳ ନିଷ୍କାସନ ପାଇଁ ପ୍ରତିଶୃତି ଦେଇଥିଲେ। ଆଗାମୀ ଦିନରେ ପୁନର୍ବାର ଲଘୁଚାପ ବର୍ଷା ଆଶଙ୍କାରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଆଜି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଭ୍ରାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ରହି ଜେସିବି ମେସିନ ଯୋଗେ କେନାଲକୁ ସଫା କରିଛନ୍ତି। ଯାହାଦ୍ୱାରା ଅତିଶୀଘ୍ର ଜଳ ନିଷ୍କାସନ ହୋଇ ପାରିବ। ଆଗାମୀ ବର୍ଷା ପୂର୍ବରୁ ଜଳ ନିଷ୍କାସନର ବ୍ୟବସ୍ଥା କରାଇ ଥିବାରୁ ପ୍ରଭାକର ଖଣ୍ଡା, ଗଣେଶ ଗିରି, ବିଦ୍ୟାଧର ଖଣ୍ଡା, ନିହାର ରଞ୍ଜନ ଜେନା, ରାମଚନ୍ଦ୍ର ଘଡେଇ, ବଳରାମ ଘଡେଇ, ଦୀନବନ୍ଧୁ ସାହୁ, ଅଜୟ ଜେନା, ପଦ୍ମନାଭ ଘଡେଇ, ପ୍ରଦ୍ୟୁମ୍ନ ବେହେରା, ଭାବଗ୍ରାହୀ ବେହେରା, ସନାତନ ବେହେରା, ସୁଦର୍ଶନ ଖଣ୍ଡା ପ୍ରମୁଖ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ଉପାଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।


