ରକ୍ତ ଭଣ୍ଡାରରେ ରକ୍ତ ଅଭାବ, ଦୁଇ ବର୍ଷରେ କମିଛି ପ୍ରାୟ ୬୦% ରକ୍ତଦାନ ଶିବିର

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଓଡିଶାର ରକ୍ତ ଭଣ୍ଡାରରେ ବର୍ତ୍ତମାନ ରକ୍ତର ଅଭାବ ଦେଖାଦେଇଛି। ଦୁଇ ବର୍ଷରେ ପ୍ରାୟ ୬୦ ପ୍ରତିଶତ ରକ୍ତଦାନ ଶିବିର କମିଥିବା ବେଳେ ଭବିଷ୍ୟତରେ ରକ୍ତ ଅଭାବ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ବୋଲି ଓଡିଶା ରକ୍ତଦାତା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଛନ୍ତି।ରାଜ୍ୟ ସରକାରଙ୍କ ୫୬ଟି ରକ୍ତ ଭଣ୍ଡାର ସହ ରେଡ କ୍ରସ୍ ର ଦୁଇଟି ରକ୍ତ ଭଣ୍ଡାର ଓ ଏଏମସ ଗୋଟିଏ ରକ୍ତ ଭଣ୍ଡାରକୁ ମିଶାଇ ମୋଟ ୫୯ ଟି ବ୍ଲଡ ବ୍ୟାଙ୍କ୍ ଆମ ରାଜ୍ୟରେ ଅବସ୍ଥିତ। ରାଜ୍ୟରେ ଥାଲାସେମିଆ ରୋଗୀ, କର୍କଟ ରୋଗୀ, ଦୁର୍ଘଟଣା ଓ ବିଭିନ୍ନ ଅସ୍ତ୍ରୋପଚାର ପାଇଁ ବାର୍ଷିକ ପ୍ରାୟ ଛଅ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ପଡ଼ିଥାଏ। ପୂର୍ବ ସରକାରଙ୍କ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଷକୁ ପ୍ରାୟ  ତିନି ଲକ୍ଷ ରୁ ଚାରି ଲକ୍ଷ ୟୁନିଟ୍ ପର୍ଯ୍ୟନ୍ତ ରକ୍ତ ସଂଗୃହୀତ ହେଉଥିବା ବେଳେ ବିଭିନ୍ନ ସଂଗଠନ ଦ୍ୱାରା ଅବଶିଷ୍ଟ ରକ୍ତ ସଂଗୃହୀତ ହେଉଥିଲା। ୧୦୦ ୟୁନିଟ୍ ସଂଗୃହୀତ ରକ୍ତ ମଧ୍ୟରେ ପ୍ରାୟ ୪୫ ୟୁନିଟ୍ ରକ୍ତ “ଓ” ପଜିଟିଭ ଗୃପ ହୋଇଥିବା ବେଳେ ଅବଶିଷ୍ଟ ଅନ୍ୟ ସମସ୍ତ ରକ୍ତ ଗୃପର ହୋଇଥାଏ। ବିଡ଼ମ୍ବନାର ବିଷୟ ବର୍ତ୍ତମାନ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ “ଓ” ପଜିଟିଭ ଗୃପର ରକ୍ତ ମଧ୍ୟ ଅଭାବ ଦେଖା ଦେଇଛି। ବର୍ତ୍ତମାନର ସରକାର ରକ୍ତଦାନ ଶିବିର ପାଇଁ ଉଚ୍ଚିତ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଦୁଇ ବର୍ଷରେ ପ୍ରାୟ ୬୦% ରକ୍ତଦାନ ଶିବିର କମିଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଏପରିକି ରକ୍ତଦାନ ଶିବିରର ସଚେତନତା ପାଇଁ ପ୍ରଚାର ପତ୍ର ମଧ୍ୟ ମିଳିପାରୁନାହିଁ। ରାଜ୍ୟ ସରକାର ରକ୍ତଦାନ ଶିବିର ପାଇଁ ବିଭିନ୍ନ ସଂଗଠନ ଗୁଡ଼ିକୁ ଉତ୍ସାହିତ କରି ରକ୍ତ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଭବିଷ୍ୟତରେ ରକ୍ତର ଅଭାବ ପାଇଁ ବହୁ ମୂଲ୍ୟବାନ ଜୀବନ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦେଇପାରିବା ନାହିଁ ବୋଲି ରକ୍ତଦାତା ମହାସଂଘର ସଭାପତି ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ