ବନ୍ୟା ବିପର୍ଯ୍ୟୟ ମଧ୍ୟରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ସୋମେଶ କୁମାର ଉପାଧ୍ୟାୟ
ଭଦ୍ରକ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଆଇଏଏସ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବନ୍ୟା ବିପର୍ଯ୍ୟୟର କଠିନ ସମୟରେ ସେ ଦାୟିତ୍ୱ ଗ୍ରହଣ କରିବା ସହିତ ଜିଲ୍ଲାର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ l ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାପାଳ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର କାର୍ଯ୍ୟ, ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧାର ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମସ୍ତ ଆବଶ୍ୟକ ସହାୟତା ପହଞ୍ଚାଇବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ନୂତନ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗର ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି।


