କେ ବାଲିପାଳ ପଞ୍ଚାୟତବାସୀଙ୍କ ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିଲେ ସମାଜସେବୀ ଓ ଗ୍ରାମବାସୀ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ୧୧ଟି ୱାର୍ଡର ଲୋକମାନେ ବିଭିନ୍ନ ସମସ୍ୟାରେ ସନ୍ତୁଳିତ ହେଉଥିବା ବେଳେ ଆଜି ସମାଜସେଵୀ ଝାନସୀରାଣୀ ଦାସ ଏନେଇ ବିଡ଼ିଓଙ୍କୁ ଭେଟି ଆଲୋଚନା କରିବା ସହିତ ଗ୍ରାମବାସୀ ମାନେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ବଣ ଜଙ୍ଗଲ ଘେରା ଏହି ପଞ୍ଚାୟତକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବା ବେଳେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ଅନେକ ସମୟରେ ରୋଗୀ ମାନଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନି। ସେହିପରି ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରାନ୍ତ କରିବା ପରେ ମଧ୍ଯ ଆଜି ପର୍ଯ୍ୟନ୍ତ ବିଦ୍ୟୁତର ସୁବିଧା ନାହିଁ। ୧୦ବର୍ଷ ପୂର୍ବେ ଦିଆ ଯାଇଥିବା ସୋଲାର ଲାଇଟ୍ ସବୁ ଏବେ ଅଚଳ ହୋଇ ପଡିଛି। କିରୋସିନି ମିଳୁ ନଥିବାରୁ ଡିବିରି ଆଲୁଅ ଜଳି ପାରୁନି। ଫଳରେ ସନ୍ଧ୍ୟା ହେଲେ ଲୋକମାନେ ନାନା ଅସୁବିଧା ଭୋଗ କରୁଛନ୍ତି। ସେହିପରି ଆଜି ପର୍ଯ୍ୟନ୍ତ ଲୋକମାନେ ଟେଲିଭିଜନ ଦେଖି ପାରିଲେ ନି। ଖାଲି ସେତିକି ନୁହଁ ମୋବାଇଲ୍ ସେବାରୁ ମଧ୍ଯ ବଞ୍ଚିତ ଅଛନ୍ତି ଏହି ପଞ୍ଚାୟତର ଲୋକମାନେ। ସେହିପରି ପଞ୍ଚାୟତର ଦୁଇଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ଗାଁ ଗୁଡିକ ରାଜସ୍ବ ଗ୍ରାମର ମାନ୍ୟତା ଦିଆ ଯାଉନି। ପଞ୍ଚାୟତ ର ଦୁଇଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ଗ୍ରାମର ଲୋକମାନେ ଆବାସ ଯୋଜନା ପାଇ ପାରି ନାହାନ୍ତି। ଏବେ ନୁଆ ହିତାଧୀକାରୀ ଚୟନ ପାଇଁ ନାମ ପଞ୍ଜୀକୃତ ହେଉଥିବା ବେଳେ ଏଠାରେ ଅନ ଲାଇନ ସୁବିଧା ନଥିବାରୁ ଆବାସ ଯୋଜନାରେ ନାମ ସାମିଲ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଏହି ପଞ୍ଚାୟତରେ ହେଉଥିବା ମନରେଗା ଯୋଜନା କାମରେ ଜବକାର୍ଡ ଧାରି ଶ୍ରମିକ ମାନଙ୍କୁ ନିୟୋଜିତ କରା ନଯାଇ ମେସିନରେ କାମ କରାଯାଉଥିବା ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ଅଧିକାଂଶ ଲୋକ ଶ୍ରମଜୀବୀ ହୋଇଥିବା ବେଳେ ଏମାନେ କାମ କରିବାକୁ ଭଦ୍ରକ ଜିଲ୍ଲାକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ସମାଜସେବା ଝାନସୀ ରାଣୀ ଦାସଙ୍କ ନେତୃତ୍ୱରେ ବରୁଣ ସେନାପତି, ଅଜୁ ଝାଲିଆ, ଭାବ ଦେହୁରୀ, ବୀର ଦେହୁରୀ, ଭାଗିରଥି ଦେହୁରୀ, ରମାକାନ୍ତ ଦେହୁରୀ, ଚନ୍ଦ୍ରମଣି ସଲଙ୍ଗ, ଶ୍ୟାମ ପ୍ରଧାନ, ରବିନ୍ଦ୍ର ନାଇକ, ବାବୁରାମ ମଢେଇ, ରଘୁନାଥ ନାଇକ, ମଙ୍ଗଳୁ ସିମିନିକିଆ, ଆନନ୍ଦ ପଦୁରିଆଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏପରି ସମସ୍ୟାର ସମାଧାନ ପାଇଁ ବିଡ଼ିଓଙ୍କ ନିକଟରେ ଦାବି କରିଛନ୍ତି। ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଲୋକଙ୍କ ଅଭିଯୋଗ ଶୁଣିବା ପରେ ଏନେଇ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।