ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ କ୍ରୀଡା ଶିକ୍ଷକ କୈଳାଶ ଗୌଡ ସମ୍ମାନିତ
ଆସିକା (ୱାଇଏନ୍ଏସ୍) : ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଛତ୍ରପୁର ସ୍ଥିତ ଅନ୍ସ୍ଳୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିକା କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲର କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯିବା ସାଙ୍ଗକୁ ପୁରସ୍କାର ସ୍ୱରୂପ ସ୍ମୃତିଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବହୁ ପ୍ରତିଭାଧର ଶିକ୍ଷକଙ୍କୁ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ଜଣାଶୁଣା ସମାଜସେବୀ ସ୍ୱର୍ଗତ ଭିକାରୀ ଗୌଡ ଓ ସ୍ୱର୍ଗତା ଯମୁନା ଗୌଡଙ୍କ କନିଷ୍ଠ ପୁତ୍ର କୈଳାଶ ଚନ୍ଦ୍ର ଗୌଡ ଗତ ୧୯୯୯ ମସିହା ଜୁଲାଇ ମାସ ୨୩ ତାରିଖରେ ଆସିକା କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲରେ କ୍ରୀଡା ଶିକ୍ଷା ରୂପେ ଯୋଗଦେବା ପର ଠାରୁ କ୍ରୀଡାର ପ୍ରସାର ଓ ପ୍ରଚାର ଠାରୁ ଆରମ୍ଭ କରି କ୍ରୀଡାପ୍ରେମୀମାନଙ୍କୁ ବିଭିନ୍ନ ଖେଳକୁଦ ପ୍ରତି ପ୍ରଶିକ୍ଷଣ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିବା ସାଙ୍ଗକୁ ଆସିକା ଅଞ୍ଚଳରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ବହୁବିଧ ଖେଳକୁଦ ପ୍ରତିଯୋଗିତାକୁ ନିଃସ୍ୱାର୍ଥପର ଭାବେ ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ନଜିର୍ ରହିଛି । ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବା ଆସିକା କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲର କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡଙ୍କୁ ଆସିକା ଆଥ୍ଲେଟିକ୍ ଏସୋସିଏସନ୍ର ଟାଉନହଲ୍ର ସଭାପତି ଦିଲୀପ କୁମାର ପାଣିଗ୍ରାହୀ ଓ ସଂପାଦକ ଏମ୍.ତାରିଣୀ ସେନାପତି, କ୍ରୀଡା ଶିକ୍ଷକ ସ୍ୱଦେଶ କୁମାର ଦଳେଇ, ପଦ୍ମଚରଣ ବିଷୋୟୀ, ମନୋରଂଜନ ପଣ୍ଡା, ଚିତ୍ତରଂଜନ ଆଚାର୍ଯ୍ୟ, ଇସୁକୁ କଳାପାହାଡ, ଚନ୍ଦ୍ରଶେଖର ଦାଶ, କ୍ରୀଡାପ୍ରେମୀ ଦିଲୀପ କୁମାର ନାୟକ, କେ.ଜଗନ୍ନାଥ ରେଡି, ଭଗବାନ ବିଶ୍ୱାଳ, ବି.ରାମବାବୁ ରେଡି, ଅନିଲ୍ କୁମାର ସ୍ୱାଇଁ, କାର୍ତ୍ତିକ ପଟ୍ଟନାୟକ, ବର୍ଷାରାଣୀ ରଥ, ବି.ସଙ୍ଗୀତା ରେଡି, ମଧୁ ପ୍ରଧାନଙ୍କ ସମେତ ବହୁ ସଚେତନ ନାଗରିକ, କ୍ରୀଡାପ୍ରେମୀ, ବୁଦ୍ଧିଜିବୀ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


