୨୭ରୁ ଆରମ୍ଭ ହେବ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୭ ତାରିଖ ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ବିଦ୍ୟାଳୟ ଗୁଡିକରେ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ ଆସନ୍ତା ମେ ମାସ ୬ ତାରିଖରୁ ଗ୍ରୀଷ୍ମଛୁଟି ହୋଇଥାନ୍ତା ଓ ରଜ ପରେ ଅର୍ଥାତ୍‍ ଜୁନ୍‍ ମାସ ୧୮ ତାରିଖରେ ସ୍କୁଲ ଖୋଲିଥାନ୍ତା । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୦ ଦିନ ଆଗରୁ ସରକାର ଛୁଟିଘୋଷଣା କରିସାରିଛନ୍ତି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅଞ୍ଚଳରେ ଥିବା ୧୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୪ଟି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକମାନଙ୍କ ରୋଷ୍ଟର ଡ୍ୟୁଟି ବଣ୍ଟନ କରି ଛାତ୍ରଛାତ୍ରୀମାନଙ୍କୁ ଅନ୍‍ଲାଇନ୍‍ରେ ହୋମୱାର୍କ ଦେବା ସହ ତାହାର ତଦାରଖ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଗ୍ରୀଷ୍ମ ଅବକାଶକାଳୀନ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରିଣୀ ମୁନ୍‍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରାଙ୍କ ସମେତ ଶିକ୍ଷାବିଭାଗର ପଦାଧିକାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଚଳିତ ଏପ୍ରିଲ ମାସ ୨୭ ତାରିଖରୁ ଜୁନ୍‍ ମାସ ୧୭ ତାରିଖ ପର୍ଯ୍ୟନ୍ତ ଲମ୍ବା ସମୟ ଧରି ସ୍କୁଲ ଓ କ୍ଳାସ୍‍ରୁମ ପରିବେଶରୁ ଛାତ୍ରଛାତ୍ରୀମାନେ ଦୂରେଇ ରହିବାକୁ ଥିବାରୁ ସେମାନଙ୍କୁ ଗ୍ରାଷ୍ମ ଅବକାଶ ଛୁଟିରେ ପାଠପଢା ସହିତ ଜଡିତ ରଖିବାକୁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସ୍ୱତନ୍ତ୍ର ଯୋଜନାକୁ ଆସିକାରେ ସଫଳତାର ସହ ଶେଷ କରିବା ପାଇଁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଅବକାଶ ଛୁଟି ଆରମ୍ଭରୁ ଶେଷ ଯାଏଁ ଛାତ୍ରଛାତ୍ରୀମାନେ କିଭଳି ଘରେ ରହି ମଧ୍ୟ ପାଠପଢା ସହ ଯୋଡି ହୋଇରହିବେ ସେଥିପାଇଁ ସାପ୍ତାହିକ ଆସାଇନ୍‍ମେଣ୍ଟର ବ୍ୟବସ୍ଥା ହୋଇଥିବା ଜଣାପଡିଛି । ସମର ଭ୍ୟାକେସନ୍‍ରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସମର ଲର୍ଣ୍ଣିଂ ଆସାଇନ୍‍ମେଣ୍ଟ । ଚଳିତବର୍ଷ ଖରାଛୁଟିରେ ପିଲାମାନେ ଘରେ ବସି ହ୍ୱାଟସ୍‍ଆପ୍‍ ଯୋଗେ ପାଠପଢିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି । ଶିକ୍ଷାବିଭାଗ ପକ୍ଷରୁ ଚଳିତବର୍ଷ ସମର ଲର୍ଣ୍ଣିଂ ପ୍ରୋଗ୍ରାମ-୨୦୨୬ (ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ) ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ