ଶିକ୍ଷାନୁଷ୍ଟାନ ବନ୍ଦ : ଆସିକାରେ ଅଙ୍ଗନାୱାଡି କେନ୍ଦ୍ର ଖୋଲା!

ଆସିକା  (ୱାଇଏନ୍‍ଏସ୍‍): ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ସକାଳ ୮ଘଟିକାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଖରାର ପ୍ରକୋପ ଲାଗି ରହୁଥିବା ଫଳରେ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନତା ଆଉଟୁ ପାଉଟୁ ହେଉଥିବା ଲକ୍ଷ୍ୟ କରାଯାଉଛି। ସକାଳ ୮ଘଟିକାରୁ ଖରାର ପ୍ରକୋପ ବଢିବଢି ଚାଲିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗତ ୨୧ ତାରିଖରୁ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦିଆଯାଇଥିଲା ବେଳେ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଖୋଲା ରହୁଥିଲା ବେଳେ କୋମଳମତି ଶିଶୁ ମାନେ ପୂର୍ବାହ୍ନ ସାଢେ ୭ଘଟିକାରୁ ସାଢେ ୯ଟା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ପ୍ରାକ୍ ବିଦ୍ୟାଳୟରେ ପାଠପଢିବାକୁ ଆସୁଥିବା ଦେଖିବାକୁ ମିଳୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଦିନର ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। ଖରାଛୁଟି କେବଳ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଥିଲା ବେଳେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ମାନଙ୍କ ପାଇଁ ଲାଗୁ କରାଯାଇନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ପାଠପଢିବାକୁ ଆସୁଥିବା କୌଣସି ଶିଶୁ ଯଦି ଦୁର୍ଭାଗ୍ୟ ବଶତଃ ଅଂଶୁଘାତରେ ଆକ୍ରାନ୍ତ ହୁଅନ୍ତି ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପ୍ରଚଣ୍ଡ ରୌଦ୍ରତାପରେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନ ଭଳି ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ମଧ୍ୟ ଖରାଛୁଟି ଘୋଷଣା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୭ ତାରିଖରୁ ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ଘୋଷଣା କରାଯାଇସାରିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଟାଏଁ ଟାଏଁ ଖରା ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବ୍ୟାହତ ରହୁଛି । ଭୀଷଣ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଗ୍ରୀଷ୍ମର ଜ୍ୱାଳାରେ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଆସୁଥିବା କୁନି କୁନି ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଖରାଛୁଟି ଘୋଷଣା କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ