ବାଲି ପରିବହନକୁ କେନ୍ଦ୍ରକରି ଦୁଇଗାଁ ଭିତରେ ଉତ୍ତେଜନା
ହାଟଡିହି (ଓ୍ବାଇଏନଏସ) : ବାଲି ପରିବହନ କୁ କେନ୍ଦ୍ରକରି ଦୁଇ ଗାଁ ଭିତରେ ଉତ୍ତେଜନା ପ୍ରକାଶ ପାଇଛି। ଅମୃତପୁର, ହାବଳେଶ୍ୱର ଆଦି ଘାଟରୁ ଶାଳଣିଆଁ ଦେଇ ବାଲି ପରିବହନ ହେଉଥିବା ବେଳେ ଅନେକ ସ୍ଥାନରେ ଗାଁ ଯୁବକ ମାନଙ୍କ ଦ୍ୱାରା ଏହି ଏହିସବୁ ବାଲି ଗାଡ଼ିରୁ ଚାନ୍ଦା ଆଦାୟ ହୋଇଥାଏ। ଗତକାଲି ସନ୍ଧ୍ୟାରେ ବିଷ୍ଣୁପୁର, ଶାଳଣିଆଁର କିଛି ଯୁବକଙ୍କ ଭିତରେ ପାଟିତୁଣ୍ଡ ହେବା ସହ ମାଡଗୋଳ ମଧ୍ୟ ହୋଇଥିଲା। ଏଥିପାଇଁ ରାସ୍ତାରେ ୫୦ ରୁ ଉର୍ଦ୍ଧ ଗାଡି ଠିଆ ହୋଇ ରହିଥିଲେ। କିନ୍ତୁ ବିଳମ୍ବିତ ରାତିରେ ଶାଳଣିଆଁ ଗ୍ରାମର ୪/୫ ଜଣ ବାଲି ମାଫିଆ ବିଷ୍ଣୁପୁର ଗ୍ରାମରେ ପସି ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରିବାରୁ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ଏପରି ରାତି ଅଧିଆ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଆଜି ସନ୍ଧ୍ୟାରେ ବିଷ୍ଣୁପୁର ଗ୍ରାମର ୫୦ରୁ ଉର୍ଦ୍ଧ ଯୁବକ ଶାଳନିଆଁର ସେହି ୪/୫ ଜଣ ଆକ୍ରମଣକାରୀ ଯୁବକଙ୍କୁ ଖୋଜୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଆଜି ଦିନ ତମାମ ଛକା ପଞ୍ଝା ଲାଗି ରହିଥିବା ସୂଚନା ମିଳିଛି। କିନ୍ତୁ ପୋଲିସ ନିକଟରେ ଏନେଇ କିଛି ଅଭିଯୋଗ ହୋଇ ନଥିବା ଜଣା ଯାଇଛି।


