ପାଠ୍ୟ ପୁସ୍ତକ ତ୍ରୁଟି: SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ, (ଓ୍ବାଇଏନଏସ): ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ଶହ ଶହ ତଥ୍ୟଗତ, ବ୍ୟାକରଣଗତ ଓ ମୁଦ୍ରଣ ତ୍ରୁଟିକୁ ନେଇ ସାରା ଓଡ଼ିଶାରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ଏବେ ନୂଆ ମୋଡ଼ ନେଇଛି। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ଅପରାଧିକ ତଦନ୍ତ ମଧ୍ୟ ଜୋରଦାର ହୋଇଛି। ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ପ୍ରଥମେ ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ଗୁରୁତର ଅବହେଳା ଥିବା ଦର୍ଶାଯାଇଥିଲା। ଏହାପରେ ମନୋଜ ପାଢ଼ୀଙ୍କ ସମେତ ଚାରିଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଅନ୍ୟ କିଛି ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତଦନ୍ତରେ ପ୍ରାୟ ୧,୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା କୁହାଯାଇଥିଲା। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତର ସହ ନେଇ କେବଳ ବିଭାଗୀୟ ନୁହେଁ, ଅପରାଧିକ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ SCERT ପକ୍ଷରୁ ଏତଲା ଦାଖଲ ହୋଇଥିଲା ଏବଂ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା।କ୍ରାଇମବ୍ରାଞ୍ଚର ଡ଼ିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ପାଠ୍ୟପୁସ୍ତକ ପ୍ରସ୍ତୁତି, ଯାଞ୍ଚ, ଅନୁମୋଦନ, ମୁଦ୍ରଣ ଓ ପ୍ରକାଶନର ସମଗ୍ର ପ୍ରକ୍ରିୟାର ଖୋଳତାଡ଼ କରୁଛି। ଏହି କ୍ରମରେ ମନୋଜ ପାଢ଼ୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ପରେ ପର୍ଯ୍ୟାପ୍ତ ତଥ୍ୟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ପାଠ୍ୟପୁସ୍ତକରେ ବିଜ୍ଞାନ, ଇତିହାସ, ଭୂଗୋଳ, ଭାଷା ଓ ଚିତ୍ର ସମ୍ବନ୍ଧୀୟ ଅନେକ ଗୁରୁତର ଭୁଲ ସାମ୍ନାକୁ ଆସିବା ପରେ ସରକାର ଓ SCERT ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହି ମାମଲାରେ କେବଳ ଅବହେଳା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ସେନେଇ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।


