ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର
ଛତ୍ରପୁର, (ଓ୍ବାଇଏନଏସ): ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏଲନିନୋ ପ୍ରଭାବ ରେ ଅନିୟମିତ ବର୍ଷା ର ମୁକାବିଲା ପାଇଁ ୧୧ ଦଫା ଦାବି ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି । ମଙ୍ଗଳବାର ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଳକ ରୁ ଆସିଥିବା କୃଷକ ପ୍ରତିନିଧି ମାନେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ । ନିର୍ଦିଷ୍ଟ ସମୟ ମଧ୍ୟରେ ଦାବି ପୂରଣ ନହେଲେ ଜିଲ୍ଲା ତମାମ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜି କୃଷକ ସଭା ପକ୍ଷରୁ ପ୍ରଦାନ କରା ଯାଇଥିବା ପ୍ରମୁଖ ଦାବି ମଧ୍ୟରେ ପ୍ରଚୁର ପରିମାଣର ବିହନ ମହଜୁଦ୍ ରଖିବା ଏବଂ ଚାଷୀ ମାନଙ୍କୁ ମାଗଣା ରେ ବିହନ ଦେବା , ରିହାତି ଦରରେ ସାର ଯୋଗାଇଦେବା ସହିତ ସାର କଳାବଜାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା , କେନାଲ ଗୁଡ଼ିକର ତୁରନ୍ତ ମରାମତି କରିବା , ଉଠାଜଳସେଚନ ପଏଣ୍ଟ ଗୁଡ଼ିକ ର ମରାମତି ସହିତ ବିଦ୍ୟୁତ ଦେୟ ଛାଡ କରିବା , ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷୀ ଙ୍କୁ ମାଗଣା ଶସ୍ୟ ବୀମା ସୁବିଧା ଦେବା ସହିତ କୃଷିଋଣ ଛାଡ କରିବା , ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରଦାମ କମାଇବା , ଅସହାୟ ଭତ୍ତା ନିୟମିତ ଓ ନିର୍ଦ୍ଦିଷ୍ଟ ସମୟରେ ଦେବା ଏବଂ ଚାଷୀ ମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷସାରା କାମ ଯୋଗାଇଦେବା ପ୍ରଭୃତି ରହିଛି । ଆଜି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିବା ସମୟରେ ସଭାପତି ଶ୍ରୀ ରଥ ଙ୍କ ସମେତ ସମ୍ପାଦକ ରାଜିବ ଲୋଚନ ପଣ୍ଡା , ସହ ସମ୍ପାଦକ ନିଳକଣ୍ଠ ଦାସ , ବରିଷ୍ଠ କୃଷକ ନେତା ରଙ୍କନାଥ ସ୍ବାଇଁ , ସତ୍ୟ ନାରାୟଣ ମହାପାତ୍ର , ପଞ୍ଚାନନ ସ୍ବାଇଁ , ଗୋପାଳ ଭୁୟାଁ , ସତ୍ୟବାଦୀ ସ୍ବାଇଁ , ଜୟକୃଷ୍ଣ ନାୟକ , ଏମ୍ କ୍ରିଷ୍ଣା ରେଡି , ଟି ନାରାୟଣ ରେଡି , ସିଂ ଏଚ୍ ଜନାର୍ଦ୍ଦନ ରେଡି , ଦଣ୍ଡାସି ପାତ୍ର , ହରିହର ପାତ୍ର , ବିଜୟ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାରମ୍ଭ ରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ବିରାଟ ଶୋଭାଯାତ୍ରା ରେ ଚାଷୀ ଓ ଚାଷୀ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ l


