କଂଗ୍ରେସ ଓ ବିଭିନ୍ନ ବାମପନ୍ଥୀ ଦଳ ତରଫରୁ ବନ୍ଦ ପାଳନ ସଫଳ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବାମପନ୍ଥୀ ଦଳ ମିଳିତରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାୟଗଡା ଜିଲ୍ଲା ମୁନିଗୁଡାରେ ବ୍ଲକ କଂଗ୍ରେସ ଓ ବିଭିନ୍ନ ବାମପନ୍ଥୀ ଦଳ ତରଫରୁ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୦୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଥିବା ଦେଖା ଯାଇଥିଲା। ଏହି ଅବସରରେ ମୁନିଗୁଡାରେ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଦେଶ ଏବଂ ଓଡିଶା ରାଜ୍ୟର ସ୍ୱାର୍ଥ ପାଇଁ ଏମଏମଡିଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଧ କର,ସିଇସି ଜ୍ଞାନେସ କୁମାରଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫଧାରୀ ଏବଂ ଏସଆଇଆର ନାରେ ୧୩ କୋଟି ଭୋଟ କାଟିବା ଓ ଭୋଟ ଚୋରୀ କରିବା ଅସାମ୍ବିଧାନିକ ତେଣୁ ଏହାକୁ ପ୍ରତ୍ୟାହାର,ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ ବିଫଳତା ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବହିଷ୍କାର, ବନ୍ୟା ବିପତ୍ତି ଓ ସରକାରୀ ଉଦାସୀନତା ଆଦି ଦାବୀକୁ ନେଇ ମୁନିଗୁଡା ଓ ଅମ୍ବାଦଳାର ଶତାଧିକ ଦଳୀୟ କର୍ମୀ ମୁନିଗୁଡାରୁ କଳାହାଣ୍ଡି, କନ୍ଧମାଳ,ଗଜପତି ଓ ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ l ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଥିଲା ଏବଂ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। ଏଥିସହ କେବଳ ଜରୁରୀ କାଳୀନ ଓ ମେଡିକାଲ ସେବାକୁ ଛାଡି ଦେଲେ ସମସ୍ତ ଦୋକାନ ବଜାର, ବେଙ୍କ, ସ୍କୁଲ,କଲେଜ,ପେଟ୍ରୋଲପମ୍ପ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିବା ଦେଖାଯାଇଥିଲା l ସେହିପରି ଅମ୍ବାଦଳା ଠାରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ଓସାଂସଦ ପ୍ରତିନିଧି ରଜନୀ କାନ୍ତ ପାଡାଲଙ୍କ ମିଳିତ ନେତୃତ୍ୱରେ ବନ୍ଦକୁ ସଫଳ କରିବା ସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଉକ୍ତ ବନ୍ଦ ପାଳନ ବେଳେ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧଵ ହିକକା ମୁନିଗୁଡା ଓ ଅମ୍ବାଦଳା ଗସ୍ତ କରି ବନ୍ଦରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସର ସମ୍ପାଦକ କୁନେନ୍ଦ୍ର ଜାଲିକା,ଜିଲ୍ଲା ସମ୍ପାଦକ ସୁବାସ ସାରକ, ଏଆଇକେଏମଏସର ଏରିଆ କମିଟିର ସାଧାରଣ ସମ୍ପାଦକ ରବି କୁମୁରୁକା, ନରେଶ ସୁନା,ବରିଷ୍ଠ କଂଗ୍ରେସ ନେତା ତଥା ସମିତି ସଭ୍ୟା ଅନଙ୍ଗ ନାଗ,ନାରୀନେତ୍ରୀ ତଥା ସରପଞ୍ଚ ସରସ୍ବତୀ ଶବର, ଯୁବ ନେତା ବାଦଲ ବେହେରା, ବିରଞ୍ଚି ପଲକିଆ,ଲାଡି ଗୌରୀ,ରାକେଶ ବେହେରା ପ୍ରମୁଖଙ୍କ ସମେତ ମୁନିଗୁଡା ଓ ଅମ୍ବାଦଳାର ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମୁନିଗୁଡା ଓ ଅମ୍ବାଦଳାରେ ସମ୍ପୂର୍ଣ ଭାବେ ବନ୍ଦକୁ ସଫଳ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ