ଅଣସରରେ ଠାକୁର, ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ
ଆସିକା (ୱାଇଏନ୍ଏସ୍) : ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କର ଚତୁର୍ଦ୍ଧା ମୂର୍ତ୍ତି ଗତ ୨୯ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରକୁ ଚାଲିଯାଇଛନ୍ତି । ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀ ବିଗ୍ରହ ମାନେ ଜ୍ୱରରେ ପୀଡିତ ହୋଇପଡିଛନ୍ତି । ଅସୁସ୍ଥ ହୋଇପଡିଥିବା ଶ୍ରୀ ଜିଉମାନଙ୍କୁ ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଦିଅଁମାନେ ୧୫ ଦିନ ଧରି ଅଣସର ଘରେ ରହିବେ । ଏହି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ନାହିଁ ଓ ପଟିଦିଅଁଙ୍କୁ ପୂଜା କରୁଥିବା ଦେଖିବାକୁ ମିଳୁଛି । ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଅସୁସ୍ଥ ଠାକୁର ମାନଙ୍କ ମନରେ ଯେପରି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ଜଗନ୍ନାଥ ମନ୍ଦିର ଗୁଡିକ ଯଥାସମ୍ଭବ ନୀରବତା ରକ୍ଷା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁର ମାନଙ୍କୁ କେବଳ ମାତ୍ର ଫଳମୂଳ ଆଦି ଭୋଗ କରାଯାଉଛି । ମହାପ୍ରଭୁଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ଶ୍ରୀ ଜିଉଙ୍କ ସେବା କରୁଛନ୍ତି । ଏହି ସମୟରେ ସେବକମାନେ ନିଜ ଶରୀରରେ କୌଣସି ପ୍ରକାର ଅଳଙ୍କାର ନପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁଙ୍କ ଗୁପ୍ତ ସେବାରେ ନିଜକୁ ବ୍ରତୀ କରିଛନ୍ତି । ଅଣସର ଘରେ ପଟିଦିଅଁଙ୍କୁ ପୂଜା କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ଆସନ୍ତା ୧୫ ତାରିଖ ଦିନ ନବଯୌବନ ବେଶରେ ଶ୍ରୀଜିଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଆଗାମୀ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ଅଞ୍ଚଳରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି ।


