ଶିଳ୍ପ ପାଇଁ ଗଛ କଟା ପରେ ବୃକ୍ଷରୋପଣ ହୋଇଛି କି ନାହିଁ ଜବାବ ମାଗିଲେ ହାଇକୋର୍ଟ
କଟକ, (ୱାଇଏନଏସ): ଶିଳ୍ପ ପାଇଁ ଗଛ କଟାଯାଉଛି । ମାତ୍ର ନିୟମ ଅନୁସାରେ ବନୀକରଣ କରାଯାଉନାହିଁ । ସେହିପରି ଶିଳ୍ପ ପ୍ରତିଷ୍ଠା କିମ୍ବା ଅନ୍ୟ କୌଣସି ପ୍ରକଳ୍ପ ପାଇଁ ଜଙ୍ଗଲ ନଷ୍ଟ ହେଲେ ତାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟ ସ୍ଥାନରେ ଜଙ୍ଗଲ ସୃଷ୍ଟି ସୁନିଶ୍ଚିତ ପାଇଁ ନୂଆ ବୃକ୍ଷରୋପଣ କରାଯିବା କଥା । କିନ୍ତୁ ଏପରି ହେଉନଥିବାରୁ ଏନେଇ ହାଇକୋର୍ଟରେ ଏକ ମାମାଲା ଦାୟର ହୋଇଥିଲା । ଯାହାକୁ ହାଇକୋର୍ଟ ଗୁରୁତ୍ବର ସହିତ ନେଇଛନ୍ତି । ଦାୟର ମାମଲାର ଶୁଣାଣି କରି ରାଜ୍ୟର ସମସ୍ତ ଶିଳ୍ପ ପ୍ରକଳ୍ପ ସ୍ଥଳରେ କେତେ ଚାରା ରୋପଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ), ରାଜ୍ୟ ରାଜପଥ ଓ ରାଜ୍ୟ ସରକାରଙ୍କ ଅନ୍ୟ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକରେ କେତେ ସଂଖ୍ୟାରେ ଚାରା ରୋପଣ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଧେଶ ରହିଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ପିସିସିଏଫ, ପିସିସିଏଫ (ୱାଇଲ୍ଡ ଲାଇଫ), ଡିଏଫଓ ରାଜନଗରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କାମ୍ପା ପାଣ୍ଠି ବିନିଯୋଗ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ରହିଥିବା କାମ୍ପା ପାଣ୍ଠି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ମେ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ଶିଳ୍ପ ସମେତ ଅନ୍ୟ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲନଷ୍ଟ ହେବା କ୍ଷେତ୍ରରେ କ୍ଷତିଭରଣା ପାଇଁ ସୃଷ୍ଟି କରାଯାଉଥିବା ଜଙ୍ଗଲ ଲାଗି କାମ୍ପା ପାଣ୍ଠି କେମିତି ବିନିଯୋଗ କରାଯାଇଛି ସେ ନେଇ ସତ୍ୟପାଠରେ ବିସ୍ତୃତ ତଥ୍ୟ ରାଜ୍ୟ ସରକାର ଏକ ମାସ ଭିତରେ ସତ୍ୟପାଠରେ ଦେବେ ବୋଲି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଚନ୍ଦନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ କେତେ ଗଛ କଟାଯାଇଛି ସେ ନେଇ ହାଇକୋର୍ଟ ୨୦୨୪, ସେପ୍ଟେମ୍ବର ୨୩ରେ ଜବାବ ତଲବ କରିଥିଲେ। ରାଜଗନର ଡିଏଫଓ ବ୍ୟକ୍ତିଗତ ଭାବେ ହାଜର ହୋଇ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅକ୍ଟୋବର ୮ରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ରାଜନଗର ଡିଏଫଓ, ପିସିସିଏଫ ହାଜର ହୋଇ ସତ୍ୟପାଠ ଦାଖଲ ପାଇଁ ସମୟ ଲୋଡ଼ିଥିଲେ। ଏହାପରେ ଶୁଣାଣି ବେଳେ ଜେଏସଡବ୍ଲୁ ସଂସ୍ଥା ପକ୍ଷରୁ ଦର୍ଶାଯାଇଥିଲା ଯେ ବୃକ୍ଷରୋପଣ ପାଇଁ କମ୍ପାନୀ ତରଫରୁ ସରକାରଙ୍କ ନିକଟରେ ଆବଶ୍ୟକ ଅର୍ଥ ଜମା କରାଯାଇଛି। ଏହି ଅର୍ଥ ବୃକ୍ଷରୋପଣ ପାଇଁ ସରକାର ବିନିଯୋଗ କରିବା କଥା। ଫଳରେ ହାଇକୋର୍ଟ ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଢିଙ୍କିଆ ପଞ୍ଚାୟତ ଅଞ୍ଚଳରୁ ଗଛ କଟା ଦ୍ବାରା ଉକ୍ତ ପଞ୍ଚାୟତ ଜଙ୍ଗଲଶୂନ୍ୟ ହୋଇଯିବ। ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ପରିବେଶ ଉପରେ କୁପ୍ରଭାବ ପଡ଼ିବ। ତେଣୁ ସେଠାରୁ ଆଉ ଗଛ କଟା ନଯାଉ ବୋଲି ଦର୍ଶାଇ ଏହି ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର, ରାଜନଗର ଡିଏଫଓ, ଜଗତସିଂହପୁର ଜିଲ୍ଲାପାଳ, ଏସପି, ଏରସମା ତହସିଲଦାର, ଅଭୟଚାନ୍ଦପୁର ଥାନା ଆଇଆଇସି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।


