ଅଗ୍ନି ବର୍ଷା ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନସାଧାରଣ ଅତିଷ୍ଠ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଉତ୍ତାପ 43 ଡିଗ୍ରୀ ଅତିକ୍ରମ କଲା. ସମଗ୍ର ଜିଲ୍ଲାରେ ଅଗ୍ନି ବର୍ଷା ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାଧାରଣ ଅତିଷ୍ଠ ହୋଇ ପଡିଲେଣି. ସକାଳ 10 ଘଣ୍ଟା ହେଲେ ପ୍ରବଳ ଉତ୍ତାପ ଯୋଗୁଁ ଲୋକେ ଘରୁ ଭୟରେ ବାହାରକୁ ଆସୁ ନାହାନ୍ତି. ତେଣୁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାର ମୋଟ 7 ଗୋଟି ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡା, ନୂଆଗଡ, ଆର. ଉଦୟଗିରି ଓ ମୋହନା ଅଞ୍ଚଳରେ ଚଳିତ ବର୍ଷର ଉତ୍ତାପ ବିଶେଷ ବୃଦ୍ଧି ହେବା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି. ପ୍ରବଳ ଗରମ ସହ ଗୁଳୁଗୁଳିରେ ପାରଳାଖେମୁଣ୍ଡି ସହରବାସୀ ଅସହାୟ ହୋଇପଡ଼ିଛନ୍ତି | ଗତ କିଛି ଦିନ ହେଲା ଖରାର ପ୍ରକୋପ ପୂର୍ବପରି ନଥିଲେ ମଧ୍ୟ ଗୁଳୁଗୁଳି ଯୋଗୁ ଏକ ପ୍ରକାର ଅସହ୍ୟ ସୃଷ୍ଟି କରିଛି। ଦିନ ସମୟରେ ରାସ୍ତାଘାଟ ଜନଶୂନ୍ୟ ହେଉଥିବା ବେଳେ ଘର ଭିତରେ ମଧ୍ୟ ଲୋକେ ଅସୁସ୍ଥତା ଅନୁଭବ କରୁଛନ୍ତି। କେବଳ ସହରାଞ୍ଚଳ ନୁହେଁ. ଗ୍ରାମାଞ୍ଚଳରେ ମଧ୍ୟ ସମାନ ସ୍ଥିତି ରହିଛି। ପଙ୍ଖା, କୁଲର ଓ ଏସି ଚାଲିଥିଲେ ମଧ୍ୟ ଗରମରୁ ବିଶେଷ ଆରାମ ମିଳୁନଥିବା ବେଳେ ବାରମ୍ବାର ବିଦ୍ୟୁତକାଟ୍ ସମସ୍ୟାକୁ ଦ୍ବିଗୁଣିତ କରୁଛି |


