କାଗଜ କଲମରେ ଚାଲିଛି ସମିତି : ପଞ୍ଜିକରଣ ହେଉନି, ମିଳୁନି ସାର

ହାଟଡିହି, (ଓ୍ବାଇଏନଏସ): ଚାଷୀଙ୍କ ହିତ ଓ କୃଷି ସମ୍ବନ୍ଧୀୟ ସୁବିଧାକୁ ଗାଁ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗଠିତ ସେବା ସମବାୟ ସମିତି ଯଦି ନିଜେ ଅଚଳ ହୋଇପଡ଼େ, ତେବେ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ହାଟଡିହି ବ୍ଲକ ଶାସଙ୍ଗ ସେବା ସମବାୟ ସମିତିକୁ ନେଇ ଏବେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାୟ ୯ ଶହ ଚାଷୀ ସଦସ୍ୟ ଥିବା ଏହି ସମିତିର କାର୍ଯ୍ୟାଳୟ ଗତ କିଛିମାସ ହେଲା ନିୟମିତ ଖୋଲୁନଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ନିଜର ଆବଶ୍ୟକ କାମ ପାଇଁ ଆସି ନିରାଶ ହୋଇ ଫେରୁଥିବା କହିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସମିତି ଗଠନ ହେବାର ପ୍ରାୟ ଚାରିବର୍ଷ ବିତିଥିଲେ ମଧ୍ୟ ଏହାର ସୁଫଳ ସେମାନେ ଆଶାନୁରୂପ ପାଇପାରୁନାହାନ୍ତି। ପୂର୍ବରୁ ଶାସଙ୍ଗ ଅଞ୍ଚଳର ଚାଷୀମାନେ ୭/୮ କିଲୋମିଟର ଦୂର ମରୈଗାଁ ସେବା ସମବାୟ ସମିତି ଉପରେ ନିର୍ଭର କରୁଥିଲେ। ନିଜ ଅଞ୍ଚଳରେ ସମବାୟ ସମିତି ଖୋଲିଲେ ଧାନ ବିକ୍ରି ପାଇଁ ପଞ୍ଜିକରଣ, ସାର-ବିହନ ଯୋଗାଣ, ଋଣ ସୁବିଧା ଓ ଅନ୍ୟାନ୍ୟ କୃଷି ସେବା ସହଜରେ ମିଳିବ ବୋଲି ଆଶା କରିଥିଲେ। ହେଲେ ଏବେ ସେହି ଆଶା ନିରାଶାରେ ପରିଣତ ହୋଇଥିବା ଚାଷୀମାନେ କହିଛନ୍ତି। ସମିତି ପରିଚାଳନା ପାଇଁ ଜଣେ ଭାରପ୍ରାପ୍ତ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ହେଲେ କାର୍ଯ୍ୟାଳୟ ନିୟମିତ ଖୋଲୁନଥିବାରୁ ଚାଷୀମାନେ ନିଜର ଅଭିଯୋଗ କାହା ପାଖରେ ରଖିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅନେକ ଚାଷୀ ନିଜ କାମ ନେଇ କାର୍ଯ୍ୟାଳୟକୁ ଆସି ତାଲା ଝୁଲୁଥିବା ଦେଖି ଫେରୁଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ। ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ଆବଶ୍ୟକ ହୋଇଥିବା ବେଳେ ଶାସଙ୍ଗ ସମିତିରେ ଏନେଇ ଆବଶ୍ୟକ ବ୍ୟବସ୍ଥା ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ଅନେକ ଚାଷୀ ଆଗାମୀ ଧାନ ବିକ୍ରିକୁ ନେଇ ଚିନ୍ତାରେ ରହିଛନ୍ତି।ଏଥିସହ ଚାଷବାସ ପାଇଁ ଆବଶ୍ୟକ ସାର ମଧ୍ୟ ସମିତିରୁ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ବଜାରରୁ ଅଧିକ ଦାମରେ ସାର କିଣିବାକୁ ପଡ଼ୁଥିବା କେତେକ ଚାଷୀ କହିଛନ୍ତି। ସମିତି ମାଧ୍ୟମରେ ସାର ଯୋଗାଣ ହେଲେ ଚାଷୀମାନେ ନିର୍ଦ୍ଧାରିତ ବ୍ୟବସ୍ଥାରେ ସୁବିଧାରେ ସାର ପାଇପାରନ୍ତେ। ମାତ୍ର ସମିତିର କାର୍ଯ୍ୟାଳୟ ନିୟମିତ ନଖୋଲିବା ଓ ସାର ନମିଳିବା ଯୋଗୁଁ ଚାଷୀଙ୍କ ଅସନ୍ତୋଷ ବଢ଼ିଛି। ଚାଷୀଙ୍କ କହିବା ଅନୁଯାୟୀ, ଶାସଙ୍ଗ ସମବାୟ ସମିତି ସହିତ ଢେଙ୍କା, ସୁଲଣ, କଳିଗାଁ, ଭଳି ସେବା ସମବାୟ ସମିତି ଗୁଡିକ ଖୋଲା ଯାଇଥିବା ବେଳେ ସେଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା ବେଳେ ଶାସଙ୍ଗ ସମିତି ଆଦୌ କାର୍ଯ୍ୟକ୍ଷମ ହେଉନି। ପୂର୍ବରୁ ମରୈଗାଁ ସମିତି ଅଧୀନରେ ଥିବା ସମୟରେ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ, ସାର ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରୁଥିଲେ। ଶାସଙ୍ଗରେ ନୂଆ ସମିତି ହେବା ପରେ ଦୂରତା କମିବା ସହ ସେବା ସହଜ ହେବ ବୋଲି ଆଶା କରିଥିଲେ। ମାତ୍ର ଏବେ ମଧ୍ୟ ଧାନ ବିକ୍ରି ପାଇଁ ୭/୮ କିଲୋମିଟର ଦୂର ମରୈଗାଁକୁ ଯିବାକୁ ପଡ଼ୁଥିବା ସେମାନେ କହିଛନ୍ତି। ଶାସଙ୍ଗ ସମବାୟ ସମିତିକୁ ନିୟମିତ ଖୋଲିବା, ଚାଷୀଙ୍କ ନାମ ପଞ୍ଜିକରଣ, ଧାନ ବିକ୍ରି ସୁବିଧା, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାକୁ ତପୋଧାନ ସ୍ୱାଇଁ, ଅନାଦି ଚରଣ ବିଶ୍ୱାଳ, ଚୈତନ୍ୟ ପୁହାଣ, ଭୀମସେନ ନାୟକ, ସୁଧାଂଶୁ ବିଶ୍ୱାଳ, ରସିକ ନାୟକ, ବାସନ୍ତୀ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ, ସୁଧାକର ସା, କମଳାକାନ୍ତ ଆୟଚ ଓ ଆକାଶ ସା ପ୍ରମୁଖ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗର ସତ୍ୟତା ଯାଞ୍ଚ କରି ସମିତିର କାର୍ଯ୍ୟପ୍ରଣାଳୀ ଓ କାର୍ଯ୍ୟାଳୟ ଖୋଲିବାର ସ୍ଥିତି ନେଇ ପ୍ରଶାସନ ତଦନ୍ତ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଗଠିତ ସମିତି କାଗଜ କଲମରେ ସୀମିତ ନରହି ବାସ୍ତବରେ ସେବା ଯୋଗାଇଦେବାକୁ ତୁରନ୍ତ ପଦକ୍ଷେପ ନେବା ଦାବି ହୋଇଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ବିଭୁତି ଭୂଷଣ ସେଠିଙ୍କୁ ପଚାରିବାରେ ଲୋନୀ ମାନେ ସହଯୋଗ କରୁନଥିବାରୁ ସମସ୍ୟା ହେଉଛି ବୋଲି କହିଛନ୍ତି। ସେହିପରି ଡି.ଆର.ସି.ଏସ ପର୍ଶୁରାମ ପାତ୍ରଙ୍କୁ ପଚାରିବାରେ ସମିତି କିପରି କାର୍ଯ୍ୟକ୍ଷମ ହେବ ସେ ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ