ପବନ ସହ ପ୍ରଥମ ବର୍ଷାରେ ଓଦା ହେଲା ମାଟି

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) :ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର ଅଥବା ପୂର୍ବ ଦିନ ସକାଳୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ତିନି ଦିନର ରଜ ପର୍ବ ସରିବା ମାତ୍ରେ ଆସିଥିବା ଏଇ ବର୍ଷା ଚାଷୀ ମାନଙ୍କ ପାଇଁ ଆଶୀର୍ବାଦ ସାଜିଛି । ମା’ ବସୁମତୀ ଓଦା ହେବା ସହ ଅଞ୍ଚଳର ଚାଷୀ ନିଜ ନିଜ କ୍ଷେତ ପଟେ ଯାଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ମୁଖ୍ୟତଃ ଧାନ ଓ ପନିପରିବା ଚାଷ ହୋଇଥାଏ । ଲଘୁଚାପ ଜନିତ ବର୍ଷାରେ ଜମି ଓଦା ହେବା ମାତ୍ରେ ଶୁକ୍ରବାର ସକାଳୁ ସକାଳୁ ବିଭିନ୍ନ ପଂଚାୟତ ରେ ଶତାଧିକ ଚାଷୀ ନିଜର ଚାଷ ଜମିରେ ଟ୍ରାକ୍ଟର ରେ ହଳ କାମ ଆରମ୍ଭ କରିଦେଇଛନ୍ତି । ସମୟ ବଞ୍ଚାଇବା ପାଇଁ ଚାଷୀମାନେ ଏବେ ମେସିନ୍ ଉପରେ ଅଧିକ ନିର୍ଭର କରୁଛନ୍ତି । “ଗୋଟେ ଦିନରେ ୫ ଏକର ଜମି ହଳ ହୋଇଯାଉଛି। ଶୁକ୍ରବାର ରୁ ବର୍ଷା ଆସିଲା ପରେ ଟ୍ରାକ୍ଟର ନହେଲେ ଚଳୁନି” ବୋଲି ବେଗୁନିଆବସ୍ତ ଗ୍ରାମର ଚାଷୀ ଶ୍ରୀ ହରେକୃଷ୍ଣ ସ୍ୱାଇଁ କହିଛନ୍ତି । ହେଲେ ପରମ୍ପରା ସମ୍ପୂର୍ଣ୍ଣ ଲୋପ ପାଇନି। ଛୋଟ ଚାଷୀ ଓ କିଛି ଗାଁରେ ଏବେ ବି ବଳଦ ଧରି ଲଙ୍ଗଳରେ ହଳ କରିବା ଦେଖିବାକୁ ମିଳୁଛି। ବିଶେଷକରି ପନିପରିବା ଚାଷ ପାଇଁ ବଳଦ ଲଙ୍ଗଳରେ ମାଟି ମିଶାଇବା ଭଲ ବୋଲି ବୟସ୍କ ଚାଷୀମାନେ କହୁଛନ୍ତି । “ଟ୍ରାକ୍ଟର ଶୀଘ୍ର ହୁଏ ସତ, କିନ୍ତୁ ଗୋରୁ ହଳରେ ମାଟି ନରମ ହୁଏ” ବୋଲି ଓସ୍ତପୁର ଚାଷୀ ଦୀନବନ୍ଧୁ ଲେଙ୍କା କହିଛନ୍ତି ।କିନ୍ତୁ ତେଲ ଦର ବୃଦ୍ଧି ଯୋଗୁଁ ଟ୍ରାକ୍ଟର ଉଚ୍ଚ ଭଡା ଦର ଗରିବ ଚାଷୀ ଙ୍କୁ ବାଧୁଛି । ପାଣିପାଗ ବିଭାଗ ସୂତ୍ରୁ ପ୍ରକାଶ ଯେ ଲଘୁଚାପ ପ୍ରଭାବରେ ଆଗାମୀ ୨ରୁ ୪ଦିନ ପର୍ଯ୍ୟନ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଣ୍ଟା ପ୍ରତି ୨୦ରୁ ୩୦କିମି ବେଗରେ ପବନ ହେବାର ସମ୍ଭାବନା ଅଛି। ଏହି ବର୍ଷା ଖରିଫ ଋତୁର ଚାଷ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ବୋଲି କୃଷି ବିଭାଗ କହିଛି। ବିଭାଗ ପକ୍ଷରୁ ଚାଷୀଙ୍କୁ ସମୟରେ ଉନ୍ନତ ଜାତର ବିହନ ଓ ସାର ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଛି । ଟ୍ରାକ୍ଟର ଗର୍ଜନ ଓ ବଳଦ ର ଲଙ୍ଗଳର ଛାପ – ଲଘୁଚାପ ଜନିତ ପ୍ରଥମ ବର୍ଷା ପରେ ଅସ୍ତରଙ୍ଗ ଓ କାକଟପୁର ଅଂଚଳର ଚାଷ ଜମିରେ ଏବେ ପରମ୍ପରା ଓ ଆଧୁନିକତାର ସମନ୍ୱୟ ଦେଖିବାକୁ ମିଳୁଛି। ଚାଷୀ ମନରେ ଏବେ ଗୋଟିଏ ଆଶା – ଏଥର ସୁନା ଧାନ ସହ ପନିପରିବାରେ ମଧ୍ୟ ଭଲ ଫଳ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ