ଏଟିଏମ୍ , ଓଟିପି , ଫେକ୍ କଲ୍ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଗ୍ରାହକଙ୍କ ସହ ସମ୍ପର୍କ ଦୃଢ଼ କରିବା ଓ ସେମାନଙ୍କୁ ଆଧୁନିକ ବ୍ୟାଙ୍କିଂ ସୁବିଧା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା କାକଟପୁର ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରେ ଏକ ମେଗା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ଶ୍ରୀ ବିକାଶ ରାଉତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିର ରେ ବହୁ ସଂଖ୍ୟାରେ ଗ୍ରାହକ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ ଗ୍ରାହକଙ୍କୁ ବ୍ୟାଙ୍କ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ଋଣ ଯୋଜନା ଯଥା ଗୃହ ଋଣ, ବ୍ୟକ୍ତିଗତ ଋଣ, କୃଷି ଋଣ ତଥା ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ସହିତ ବର୍ତ୍ତମାନ ସମୟର ସବୁଠୁ ବଡ଼ ସମସ୍ୟା ସାଇବର ଠକେଇ ବିଷୟରେ ସେ ଗ୍ରାହକଙ୍କୁ ସଚେତନ କରାଇଥିଲେ। “କେହି ବ୍ୟାଙ୍କରୁ ଫୋନ୍ କରି ଓଟିପି , ପିନ , ସିଭିଭି ମାଗୁନାହାନ୍ତି। ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ, ଫେକ୍ କଲ୍ ଆସିଲେ ତୁରନ୍ତ ଶାଖାକୁ ଜଣାନ୍ତୁ” ବୋଲି ସେ କହିଥିଲେ। ଏଟିଏମ୍ ବ୍ୟବହାର ସମୟରେ ପିନ ଗୋପନ ରଖିବା, ମୋବାଇଲ୍ ନମ୍ବର ଅପଡେଟ୍ ରଖିବା ଓ ଆକାଉଣ୍ଟ ପ୍ରାଇଭେସି ସିକ୍ୟୁରିଟି ବିଷୟରେ ସେ ପଦକ୍ଷେପ ବୁଝାଇଥିଲେ। ପୂର୍ବରୁ ଗ୍ରାହକମାନଙ୍କଠାରୁ ମିଳିଥିବା ଅଭିଯୋଗକୁ ଆଧାର କରି ସେବାରେ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ଶାଖାର ସମସ୍ତ କର୍ମଚାରୀ ଗ୍ରାହକଙ୍କ ପ୍ରତି ଉତ୍ତମ ବ୍ୟବହାର ସହ ତୁରନ୍ତ ସେବା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଗ୍ରାହକମାନେ ସେମାନଙ୍କ ସମସ୍ୟା ବିଷୟରେ ଶାଖା ପରିଚାଳକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏପରି ସଚେତନତା ଶିବିର ଆୟୋଜନ କରିଥିବାରୁ ଗ୍ରାହକମାନେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ