‘ପ୍ରଜାପତି’ର ପରିବାର ଦିବସରେ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ସଂଗଠନ ତରଫରୁ ପରିବାର ଦିବସ ପାଳନ ଅବସରରେ ପରିବାରରେ ମଧୁର ସୁନ୍ଦର କଥା ଆତ୍ମୀୟ ପାରିବାରିକ ଜୀବନ ସୃଷ୍ଟି କରିବାରେ ସହାୟକ ହୋଇଥାଏ ଭାବନାକୁ ନେଇ ଏକ ଆଲୋଚନାଚକ୍ର ‘ଶବ୍ଦଶକ୍ତି ପରିବାର ଶାନ୍ତି’ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନାଚକ୍ରରେ ସହରର କିଛି ପରିବାର ଓ ଅତିଥି ଆଲୋଚକଭାବେ ଗୁଣି ଶିକ୍ଷାବିତ୍ମାନେ ଯୋଗଦାନ କରିଥିଲେ। ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟ ଆଲୋଚନାଚକ୍ରରେ ଅତିଥିଭାବେ କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାଧ୍ୟାପକ ଡ. ଜୟଦେବ ପରମାଣିକ, ବାଲେଶ୍ୱର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ନାୟକ, ଫକୀରମୋହନ ଅଟୋନମସ୍ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ସହକାରୀ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ରାଉତ ଓ ଫକୀର ମୋହନ ଜୁନିୟର କଲେଜର ଇଂରାଜୀ ବିଭାଗର ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ ଯୋଗଦାନ କରିଥିଲେ।
ଅତିଥିଗଣ ପରିବାର ଭିତରେ କୋମଳ, ସୁନ୍ଦର ଓ ମଧୁର କଥା କେମିତି ନିଜ ଭିତରେ ଏକ ଆତ୍ମୀୟ ସମ୍ପର୍କ ସୃଷ୍ଟି କରି ପାରିବାରିକ ଜୀବନକୁ ପ୍ରଭାବିତ କରିଥାଏ ସେହି ବିଷୟରେ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ, “ସୁନ୍ଦର ମଧୁର କଥା ପ୍ରେମ ଓ ଆତ୍ମୀୟତାର ପ୍ରବାହ ସୃଷ୍ଟି କରି ପାରିବାରିକ ଜୀବନରେ ଆନନ୍ଦ ସୃଷ୍ଟି କରେ ଓ ପାରିବାରିକ ଜୀବନ ଉନ୍ନତ ସମୃଦ୍ଧ ସାମାଜିକ ଜୀବନ ଗଠନରେ ସହାୟକ ହୋଇଥାଏ।” ସ୍ୱତନ୍ତ୍ର ଅତିଥିଭାବେ ଜ୍ୟୋତ୍ସ୍ନାରାଣୀ ବେହେରା, ରଞ୍ଜିତା ନାୟକ ଓ ପ୍ରବାଳ ସିହ୍ନା ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ‘ପ୍ରଜାପତି’ର ସଂଯୋଜକ ବିପ୍ଳବ ଦାସ ମହାପାତ୍ର ଆଲୋଚନାଚକ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ସରସ୍ୱତୀ ଭୋଇ ସ୍ୱାଗତ କଥା ରଖିଥିଲେ। ପ୍ରଜାପତିର ଶିଶୁଶିଳ୍ପୀ ଗୀତାଂଶୀ ଦାସମହାପାତ୍ର ବେଦ ପାଠ କରିଥିବାବେଳେ ଦିବ୍ୟାଶା ପରିଡ଼ା ନିଜ ଅନୁଭବ କଥା ରଖିଥିଲେ।
ଅନୁଷ୍ଠାନ ତରଫରୁ ପ୍ରେୟସୀ ମହାପାତ୍ର, ରଂଜନା ଘୋଷ, ନନ୍ଦିତା ନାୟକ, ସୁପ୍ରଭା ଦଳେଇ, ପ୍ରତିମା ତ୍ରିପାଠୀ, ସୁଜାତା ଦାସ, ସୁଚିସ୍ମିତା ବେହେରା, ରଶ୍ମିତା ଆଚାର୍ଯ୍ୟ, ଅମରଜିତ ଦାସ, ସନ୍ତୋଷ ଦାସ, ପାର୍ଥସାରଥୀ ସାହୁ, ସଂଜୀବ ନାୟକ, ଅଭିଜିତ୍ ମହାପାତ୍ର ଓ ଜୀବନଜ୍ୟୋତି ସ୍ୱାଇଁ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବରେ ଅତିଥି ଆଲୋଚକ ଓ ଅତିଥି ଶ୍ରୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ନୃତ୍ୟାୟନ’ ର ପ୍ରତିଷ୍ଠାତା ଗୁରୁ ପ୍ରଦୀପ ବେହେରାଙ୍କ ଶିଳ୍ପୀଗଣ ନୃତ୍ୟ ପରିବେଷଣ କରି ଉତ୍ସବ ସମାପନ କରିଥିଲେ।


