ଶୋଚନୀୟ ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ହାଟଡିହି (ଓ୍ବାଇଏନଏସ): ବଣିଆରୀ ସ୍କୁଲ ଠାରୁ ବଣିଆରୀ ଗାଁ ପର୍ଯନ୍ତ ଯାଇଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ଫଳରେ ସାମାନ୍ୟ ବର୍ଷା ହେଲେ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଗ୍ରାମରେ ୩୦ରୁ ଉର୍ଦ୍ଧ ପରିବାରର , ଦେଢ଼ ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସବୁ ଗାଁ ରେ କଂକ୍ରିଟ ରାସ୍ତା ହୋଇଥିବା ବେଳେ ଏହି ଗାଁ କୁ କେବଳ ମୋରମ ରାସ୍ତା ଟିଏ ହୋଇଥିଲା। ତାହା ପୁଣି ଅନେକ ବର୍ଷ ତଳେ ତଳେ ମରାମତି ହୋଇଥିଲା ଯେ ଏବେ ତାହା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାରେ ନାନା ଅସୁବିଧା ଭୋଗୁଛନ୍ତି। ଗତକାଲି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଥିବା ପୋଲଟି ଭୁଶୁଡି ପଡିବାରୁ ରାସ୍ତା ଉପରେ ଫୁଟେ ଉଚ୍ଚାର ପାଣି ଚାଲିଥିଲା। ଯାହାଦ୍ୱାରା ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ସ୍କୁଲ ଆସିପାରି ନଥିଲେ। ଶିକ୍ଷକ ମାନେ ବସି ବସି ଘରକୁ ଫେରିଥିଲେ। ଏହାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଙ୍କ କହିବା ଅନୁଯାଇ ଏହି ରାସ୍ତା ମରାମତି ପାଇଁ ଅନେକ ଥର ଅନୁଦାନ ଆସିଥିଲେ ବି ଆଖି ଦୃଶିଆ କାମ ନହୋଇ ବାଟ ମାରଣା ହୋଇଥାଏ। ଯାହାଦ୍ୱାରା ରାସ୍ତାର ଅବସ୍ଥା କେବେ ବି ସୁଧାରେ ନାହିଁ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଗାଁ ରାସ୍ତାଟିକୁ ସୁଦୃଢ କରିବାକୁ ଭାଗିରଥି ସାହୁ, ଉମାକାନ୍ତ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଆର୍ତତ୍ରାଣ ବାରିକ, ମାର୍କଣ୍ଡ ସାହୁ, ଅକ୍ଷୟ ସାହୁ, ନିରାକାର ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ