ଆଜି ବିଶ୍ୱ କୁକୁର ଦିବସ
ଆସିକା (ୱାଇଏନ୍ଏସ୍) :ଆଜି ଅର୍ଥାତ୍ ଅଗଷ୍ଟ ମାସ ୨୬ ତାରିଖରେ ପାଳିତ ହୋଇଥାଏ ବିଶ୍ୱ କୁକୁର ଦିବସ । ପୋଲିସ୍, ସେନା, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରୁଥିବା କର୍ମିନିଷ୍ଠ କୁକୁରଙ୍କ ଅବଦାନକୁ ସ୍ୱୀକାର କରିବା ଏବଂ ବୁଲାକୁକୁରମାନଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ଅତ୍ୟାଚାର, ଅବହେଳା ଓ ହିଂସାକୁ ରୋକିବା ପାଇଁ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିବା ଓ କୁକୁରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟପେୟ ଏବଂ ଟୀକାକରଣ ପ୍ରତି ଉଚିତ୍ ଯତ୍ନ ନେବାକୁ ଦାୟିତ୍ୱବାନ୍ ମାଲିକମାନଙ୍କୁ ପରାମର୍ଶ ଦେବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୬ ତାରିଥକୁ ବିଶ୍ୱ କୁକୁର ଦିବସ ରୂପେ ପାଳନ କରାଯାଇଥାଏ । ପୋଷାକୁକୁର, ସୁରକ୍ଷା କୁକୁର, ରେସକ୍ୟୁ କୁକୁର ସମେତ ଅନ୍ୟାନ୍ୟ କୁକୁରମାନଙ୍କ ପ୍ରତି ମାନବୀୟ ସ୍ନେହ, ଭଲ ପାଇବା ଓ ସେମାନଙ୍କ ସମ୍ମାନ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୬ ତାରିଖକୁ ଆନ୍ତର୍ଜାତିକ କୁକୁର ଦିବସ ଭାବେ ପାଳନ କରାଯାଇଆସୁଛି । ଏହି ଅବସରରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୧ ନମ୍ବର ୱାର୍ଡର ହରିହର ନଗରର ଯୁବ ପଶୁପ୍ରେମୀ କୁମାରସ୍ୱାମୀ ପାତ୍ର ଦୀର୍ଘ ବର୍ଷ ହେଲା ପୋଷା, ନିରାଶ୍ରୟ ତଥା ବୁଲା କୁକୁରମାନଙ୍କ ଯତ୍ନ ନେବା ପାଇଁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି । କୁକୁର ଏକ ଗୃହପାଳିତ ବିଶ୍ୱସ୍ଥ ପଶୁ ଅଟେ । ନିଜର ସଉକ ଓ କୁକୁରଙ୍କ ପ୍ରତି ଭଲ ପାଇବା ନିଦର୍ଶନ ସ୍ୱରୂପ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପଶୁପ୍ରେମୀ ବିଭିନ୍ନ ପ୍ରଜାତିର କୁକୁରକୁ ରଖି ସେମାନଙ୍କୁ ନିଜ ପରିବାରର ଏକ ସଦସ୍ୟ ଭାବି ଖୁବ୍ ଆଦରର ସହ ଲାଳନ ପାଳନ କରୁଥିବା ଦେଖିବାକୁ ମିଳିଛି । ସାଂପ୍ରତିକ ପରିସ୍ଥିତିରେ ଆସିକା ପୌର ପରିଷଦ ପରିସରଭୁକ୍ତ କେତେକ ସାହିବସ୍ତିରେ ପଲ ପଲ ହୋଇ ଘୁରି ବୁଲୁଥିବା ବୁଲା କୁକୁରଙ୍କ ଦୌରାତ୍ମ୍ୟ, ଉତ୍ପାତ ଓ ଆତଙ୍କରେ ସାଧାରଣ ଜନତା ଅତିଷ୍ଟ ହୋଇପଡୁଥିଲେ ମଧ୍ୟ ବହୁ ବ୍ୟକ୍ତି ବୁଲା କୁକୁରମାନଙ୍କର କୌଣସି କ୍ଷତି କରୁନଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ବିଭିନ୍ନ ପ୍ରଜାତିର କୁକୁରକୁ ରଖି ଲାଳନ ପାଳନ କରୁଥିଲା ବେଳେ ସେମାନଙ୍କ ମଧ୍ୟରୁ କେତେକ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପୋଷାକୁକୁରମାନଙ୍କ ସ୍ୱାସ୍ଥ୍ୟର ଉନ୍ନତ ଯତ୍ନ ପାଇଁ ଟୀକାକରଣ, ଅସ୍ତ୍ରୋପଚାର, ରକ୍ତପରୀକ୍ଷା ସମେତ ଅନ୍ୟାନ୍ୟ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲେ ମଧ୍ୟ ଅଦ୍ୟାବଧି ଆସିକାରେ କୁକୁରମାନଙ୍କ ସକାଶେ ଡାଏଲିସିସ୍, ଇସିଜି, ଅଲଟ୍ରାସାଉଣ୍ଡ, ଏକ୍ସରେ ସେବା କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ବହୁ ପଶୁପ୍ରେମୀଙ୍କ ମହଲରେ ଚିନ୍ତା ପ୍ରକଟ କରାଯାଉଥିବା ଦେଖିବାକୁ ମିଳିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୧ ନମ୍ବର ୱାର୍ଡର ହରିହର ନଗର ଅଞ୍ଚଳର ଯୁବ ସମାଜସେବୀ ତଥା ପଶୁପ୍ରେମୀ କୁମାରସ୍ୱାମୀ ପାତ୍ର ଦୀର୍ଘ ପ୍ରାୟ ୫ ବର୍ଷ ହେଲା ଅତି ଆଦରର ସହକାରେ ଏକ ପୋଷା କୁକୁର ରଖି ତାହାର ଲାଳନ ପାଳନ କରୁଥିବା ବେଳେ ନିଜ ପରିବାରର ସଦସ୍ୟ ଭାବି ନିରବିଚ୍ଛିନ୍ନ ଭାବେ ଯତ୍ନ ନେଇଆସୁଥିବା ପରିଲକ୍ଷିତ ହେଉଛି । କେତେବେଳେ ସେ ନିଜ ପୋଷା କୁକୁର ସଫିକୁ ଆଉଁସି ଦେଉଛନ୍ତି ତ ଆଉ କେତେବେଳେ ହାତ ଠାରି ଡାକୁଛନ୍ତି ଓ ପୋଷା କୁକୁର ସଫି କେଉଁଠାରେ ଥିଲେ ବି କାଳବିଳମ୍ବ ନକରି ପାଖକୁ ଧାଇଁ ଆସୁଥିବା ଦେଖିବାକୁ ମିଳୁଛି । ପୋଷା କୁକୁରକୁ ସ୍ନେହ ଓ ମମତା ପ୍ରଦାନ ଦିଗରେ ଯୁବ ସମାଜସେବୀ ତଥା ପଶୁପ୍ରେମୀ କୁମାରସ୍ୱାମୀ ପାତ୍ର ଆସିକା ଅଞ୍ଚଳରେ ଏକ ଉଦାହରଣ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


