ଶିକ୍ଷାବିଭାଗ ପକ୍ଷରୁ ନବଭାରତ ସାକ୍ଷରତା କର୍ମଶାଳା
ଆସିକା (ୱାଇଏନ୍ଏସ୍) :ନିରକ୍ଷରମାନଙ୍କୁ ସାକ୍ଷର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅଣ-ସାକ୍ଷରମାନଙ୍କ ମୁହଁରେ ହସ ଫୁଟାଉଛି ବୋଲି ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ କର୍ମଶାଳାରେ ଶିକ୍ଷାବିଭାଗର ବହୁ ପଦାଧିକାରୀ ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଜିଲ୍ଲା ଶିକ୍ଷାବିଭାଗ ତଥା ସମଗ୍ର ଶିକ୍ଷାର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ବ୍ଳକସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନଳବଣ୍ଟା, କାଳଷଣ୍ଢପୁର, ଆସିକା ସଦର, ବାବନପୁର, ଭେଟନଇ, ଖାରିଆ, ହରିଡାପଦର, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ବାଲିସିରା, ନିମିନା, କେନ୍ଦୁପଦର, ବଡଖୋଲି କ୍ଳଷ୍ଟର ଅଧୀନସ୍ଥ ଅଞ୍ଚଳରେ ଥିବା ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ନବଭାରତ ସାକ୍ଷରତା କର୍ମଶାଳାରେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା, ପ୍ରଶିକ୍ଷକ ସାରଙ୍ଗଧର ଦାସ ଓ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଗ୍ରାମୀଣ ସ୍ତରରେ ୧୫ ବର୍ଷରୁ ଅଧିକ ବୟସ୍କ ନିରକ୍ଷରମାନଙ୍କୁ ସାକ୍ଷର କରିବା ଏବଂ କୌଣସି କାରଣବଶତଃ ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ପାଠ ପଢିପାରିନଥିବା କିମ୍ବା ଆଗ୍ରହ ଥିଲେ ବି ପାଠ ପଢିବା ସୁଯୋଗ ପାଇନଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ପ୍ରଦାନ ସହିତ ସଶକ୍ତ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ତଥା ଉଲ୍ଲାସ ଯୋଜନା ଜରିଆରେ ନିରକ୍ଷରତାର ଲୋପ ପାଇଁ ୨୦୨୨ ମସିହାରେ ଏହି ମହତ୍ ଯୋଜନା ଆରମ୍ଭ ହୋଇଥିଲା । ବାଲ୍ୟ ସମୟରୁ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଥିବା ପୌଢମାନଙ୍କୁ ସାକ୍ଷର କରିବା ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଜୀବନଶୈଳୀକୁ ଉନ୍ନତ କରିବା ସାଙ୍ଗକୁ ଉଚ୍ଚଶିକ୍ଷା ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହୋଇଥିଲା ବେଳେ ଏହି ଶିକ୍ଷା କଲ୍ୟାଣ କାର୍ଯ୍ୟକ୍ରମକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଶତପ୍ରତିଶତ ସଫଳ କରିବା ପାଇଁ ଚାଲିଥିବା ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିିବାକୁ ମିଳୁଛି । ଅଣସାକ୍ଷରମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ସହ ଶିକ୍ଷାର ବିକାଶ ଲାଗି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ୍ୱାକାଂକ୍ଷ ପ୍ରୟାସ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଶିକ୍ଷାବିଭାଗ ପକ୍ଷରୁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ନବଭାରତ ସାକ୍ଷରତା କର୍ମଶାଳାରେ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ରଜନୀରାଣୀ ଦାଶ, ତାରାପ୍ରସାଦ ମିଶ୍ର, ପ୍ରଦୀପ୍ତ କୁମାର ସାମନ୍ତରାୟ, ପ୍ରମୋଦ କୁମାର ଗୌଡ, ପରମାନନ୍ଦ ଜାନି, ସ୍ନେହଲତା ଆଚାର୍ଯ୍ୟ, ଭକ୍ତଚରଣ ପ୍ରଧାନ, ଗୌରୀଶଙ୍କର ଗୌଡ, ଚିତ୍ତରଂଜନ ଷଡଙ୍ଗୀ, ଅଶୋକ କୁମାର କହଁର, ବାଳକୃଷ୍ଣ ଲେଙ୍କା, ମିନତୀ କୁମାରୀ ମହାପାତ୍ର, ସରୋଜକାନ୍ତ ମିଶ୍ର, ଶିବଶଙ୍କର ଜେନା, ବାଳକୃଷ୍ଣ ହୋତା, ସତ୍ୟନାରାୟଣ ସେଠୀ, ଶିବରାମ ଗୌଡ, ସତ୍ୟନାରାୟଣ ପାଢୀ, ଗଣପତି ସେଠୀ, ଅର୍ଜୁନ ନାହାକ, ସିମାଞ୍ଚଳ ସେଠୀ, ମନୋଜ କୁମାର ବେହେରା, ସାରଙ୍ଗଧର ଦାଶ, ଦିନେଶ୍ ଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ମୁନି, ଶିବଶଙ୍କର ସ୍ୱାଇଁ, ସୂର୍ଯ୍ୟମଣି ନାୟକ, ଉର୍ମିଳା ନାହାକ, ଅବନୀକାନ୍ତ ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ବହୁ ପ୍ରଧାନଶିକ୍ଷକ ଓ ଶିକ୍ଷାବିଭାଗର ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


