ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷା ବିପଦରେ : ଅସୁରକ୍ଷିତ ପୀରଜାହାନିଆ ସମୁଦ୍ରରେ ସ୍ନାନ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ସାମୁଦ୍ରିକ ପର୍ଯ୍ୟଟନକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପୀରଜାହାନିଆ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପୀର ଜାହାନିଆ ହେଉଛି ଏକ ଜନ ଗହଳି ପୂର୍ଣ୍ଣ ବେଳାଭୂମି। ଏହା ୨୦୦ଶହ ରୁ ଅଧିକ କିଲୋମିଟର ଲମ୍ବା ସମୁଦ୍ର। ପୀରଜାହାନିଆ ରେ ପୀରବାବା ଙ୍କ ଧାର୍ମିକ ପାଦଦେଶକୁ ଛୁଉଁଥିବାରୁ ବଣ ଭୋଜି ସାଙ୍ଗକୁ ପୀରବାବା ଦର୍ଶନ ସମେତ ବେଳାଭୂମି ରେ ସ୍ନାନ କରନ୍ତି। ମାତ୍ର ପୀରଜାହାନିଆ ବେଳାଭୂମି ରେ ଯାତ୍ରୀ ଙ୍କ ସ୍ନାନକାଳୀନ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ଅନେକ ସମୟରେ କିଛି ଯାତ୍ରୀ ଙ୍କ ଜୀବନ ଯାଇଥିବା ନଜିର ରହିଛି। ଯାହାର ଜ୍ୱଳନ୍ତ ଉଦାହରଣ ଗତ ବର୍ଷ ଜଗତସିଂହପୁର ଜିଲ୍ଲାର ୩ ଜଣ ଯୁବକ ସ୍ନାନ ସମୟରେ ମୃତ୍ୟୁ ବରଣ କରିଥିଲେ। ବିଳମ୍ବରେ ଅଗ୍ନିଶମ ବିଭାଗ ପହଂଚି ଥିବାରୁ ୩ଜଣ ଯୁବକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ସମୁଦ୍ର ସ୍ନାନ ନିମନ୍ତେ ପର୍ଯ୍ୟଟକ ଙ୍କ ସୁରକ୍ଷା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ର କୂଳରେ ବଡ଼ ଲହଡି ଭାଙ୍ଗିଥାଏ। କୂଳରେ ବିଭିନ୍ନ ସମୟରେ ରିପ କରେଣ୍ଟ ବା ଭିତର ସ୍ରୋତର ସ୍ଥିତି ବଦଳି ଥାଏ। ଯେଉଁଠି ଭିତର ସ୍ରୋତର ମାତ୍ରା ପ୍ରବଳ ଥାଏ, ସେଠାରେ ଯାତ୍ରୀ ମାନେ ସ୍ନାନ କରିଲେ ପାଣି ସହ ଭିତରକୁ ଭିଡି ହୋଇ ଚାଲିଯିବାର ଆଶଙ୍କା ଥାଏ। ଏହି ଭିତର ସ୍ରୋତ ଅନୁଭବୀ ଲାଇଫି ଗାର୍ଡ ଓ ସାମୁଦ୍ରିକ ମସ୍ଚ୍ୟଜୀବି ମାନେ ପରଖି ପାରନ୍ତି। ତେଣୁ ସତର୍କତା ଅଭାବରୁ ପ୍ରତିବର୍ଷ ସମୁଦ୍ର ସ୍ନାନ ବେଳେ ଯାତ୍ରୀ ଙ୍କ ଜୀବନ ହାନୀ ହେଉଛି। କିନ୍ତୁ କିଛି ମାସ ହେବ ସମୁଦ୍ର ସ୍ନାନ ସୁରକ୍ଷା ନିରୀକ୍ଷଣ ତଥା ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ ରୁ ୩ ଜଣ ଲାଇଫି ଗାର୍ଡ ମୁତୟନ ହୋଇଛନ୍ତି ଶତ କିନ୍ତୁ ସେମାନଙ୍କୁ ବେଳାଭୂମି ନିକଟରେ ଅନେକ ସମୟରେ ଦେଖିବାକୁ ମିଳୁନାହିଁ। କି ହୁଇସିଲ ମାରିବା କିମ୍ବା ଡାକବାଜି ମାଧ୍ୟ୍ୟମରେ ସମୁଦ୍ର ଅତ୍ୟଧିକ ଭିତରକୁ ନଯିବାକୁ ସଚେତନ ପାଇଁ ଦେଖିବାକୁ ମିଳୁନାହିଁ। ଲାଇଫି ଗାର୍ଡ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ଏ ପର୍ଯ୍ୟନ୍ତ ଜନ ଗହଳି ସମ୍ପର୍ଣ୍ଣ ପୀରଜାହାନିଆ ବେଳାଭୂମି ରେ ଯାତ୍ରୀ ଙ୍କ ସମୁଦ୍ର ସ୍ନାନ ଜନିତ ସୁରକ୍ଷା ଉପକରଣ ବ୍ୟବସ୍ଥା, ଉଦ୍ଧାର ପରବର୍ତ୍ତୀ ତତ୍କାଳ ମେଡିକାଲ ସୁବିଧା, ଆମ୍ବୁଲାନ୍ସ ସୁବିଧା ଦେବା ପ୍ରତି ପ୍ରଶାସନ ଦୃଷ୍ଟି ଦେଇନାହିଁ। ଏ ନେଇ ମସ୍ଚ୍ୟଜୀବି ଗୋବିନ୍ଦ ବେହେରା କହିଛନ୍ତି ସରକାର ତୁରନ୍ତ ଅଧିକ ସଂଖ୍ୟକ ଲାଇଫି ଗାର୍ଡ ସଂଖ୍ୟା ବଢାଇବା ସହିତ ଯେଉଁ ମାନେ ନିୟୋଜିତ ରହିଛନ୍ତି ସେମାନେ ସମୁଦ୍ର କୂଳରେ ରହୁଛନ୍ତି କି ନାହିଁ ଯାଞ୍ଚ କରାଯାଉ।ଯାତ୍ରୀଙ୍କ ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନିମନ୍ତେ ରହିଥିବା ନିର୍ଦ୍ଧେଶାବଳି ଠିକ ଭାବେ ଅନୁସରଣ କରିବା ଉଚିତ।କଟକ ରୁ ଆସିଥିବା ପର୍ଯ୍ୟଟକ ଦିବ୍ୟ ପଣ୍ଡା କହିଛନ୍ତି ପୀର ଜାହାନିଆ ସମୁଦ୍ର କୂଳରେ ସ୍ନାନ କରୁଥିବା ବ୍ୟକ୍ତି ବୁଡିଗଲେ, ଉଦ୍ଧାର ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନି। ସରକାର ଏହାକୁ ଦୃଷ୍ଟି ରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି।


