ଘରକୁ ଘର ସର୍ବେକ୍ଷଣ ଅଭିଯାନ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

କଟକ (ଓ୍ବାଇଏନଏସ):ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ (PRI) ଓ ପୌର ସଂସ୍ଥା (ULB)ମାନଙ୍କ ନିର୍ବାଚନ ପାଇଁ ସ୍ଵଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ‘ଘରକୁ ଘର’ (Door to Door)D2D ସର୍ବେକ୍ଷଣ ଅଭିଯାନ ନିମନ୍ତେ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ, ଉପ-ଜିଲ୍ଲାପାଳ, ଆଠଗଡ ଶ୍ରୀ ଅନିମେଶ ପ୍ରଧାନ, ଉପ-ଜିଲ୍ଲାପାଳ,ବାଙ୍କି ଶ୍ରୀମତୀ ମନସ୍ଵିନୀ ଦାସ, ନିର୍ବାହୀ ଅଧିକାରୀ ଚୌଦ୍ଵାର ପୌରାଞ୍ଚଳ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ଏହି ସର୍ବେକ୍ଷଣ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାସ୍ତବ ଭୌଗଳିକ ସ୍ଥିତି ଅନୁସାରେ ପଞ୍ଚାୟତ ଏବଂ ସହରାଞ୍ଚଳ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା, ଗୋଟିଏ ଭୋଟ ଦାନ କେନ୍ଦ୍ର ପାଇଁ ଏକ ନିର୍ଦ୍ଧିଷ୍ଟ ଭୌଗଳିକ ଅଞ୍ଚଳ ଚିହ୍ନଟ କରିବା, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ଭୋଟରଙ୍କୁ ସଠିକ ଘର ନମ୍ବର ସହ ଯୋଡିବା, ଗୋଟିଏ ପରିବାରର ସମସ୍ତ ଭୋଟରଙ୍କୁ ଭୋଟର ତାଲିକାରେ କ୍ରମାନ୍ଵୟରେ ରଖିବା, ଭୋଟର ତାଲିକାରୁ ସମସ୍ତ ଅନ୍ତର୍ଭୁକ୍ତିକରଣ ତ୍ରୁଟିଗୁଡିକୁ ବାଦ୍ ଦେବା ଏବଂ ସମସ୍ତ ବାଦ୍ ପଡିଥିବା ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା । ବୁଥ୍ ସ୍ତରୀୟ ଅଧିକାରୀ(BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥି, ସ୍ଵଚ୍ଛସାଥି ଏବଂ ଆଶା କର୍ମୀ ଘରକୁ ଘର ବୁଲି ସର୍ବେକ୍ଷଣ କରିବେ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ,ବୁଥ୍ ସ୍ତରୀୟ ଅଧିକାରୀଙ୍କର (BLOs) ସୁପରଭାଇଜର, ନିର୍ବାଚକ ପଞ୍ଜିକରଣ ଅଧିକାରୀ(EROs ) ଏବଂ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AEROs) ସମ୍ପୂର୍ଣ ପ୍ରକ୍ରିୟାର ତଦାରଖ କରିବେ । ଭୋଟର ସମ୍ପର୍କୀୟ ତଥ୍ୟକୁ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର (OSDC) ରେ ସଂରକ୍ଷଣ କରା‌ଯିବ ଏବଂ GIS ମୋବାଇଲ୍ ଆପ୍ ଦ୍ଵାରା ସର୍ବେକ୍ଷଣ ହେଉଥିବା ମାର୍ଗର ଅକ୍ଷାଂଶ ଓ ଦ୍ରାଘିମା ର ତଥ୍ୟ ସଂଗ୍ରହ କରାଯାଇ ୱାର୍ଡ ୱାରୀ ମାନଚିତ୍ର ତିଆରି କରି ତାହାର ସଂରକ୍ଷଣ ମଧ୍ୟ କରାଯିବ । ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀଙ୍କର (BLOs) ସୁପରଭାଇଜର ମାନେ ଯୋଗଦେଇଥିବା ବେଳେ ଡେପୁଟୀ କଲେକ୍ଟର ନୁରୀ ପରବିନ୍ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ