ଛେଳି ଚୋରୀ ଅଭିଯୋଗରେ ଦୁଇ ଗିରଫ
ହାଟଡିହି (ଓ୍ବାଇଏନଏସ): ଛେଳି ଚୋରୀ ଅଭିଯୋଗରେ ସୋସୋ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଛେଳି ଉଦ୍ଧାର କରିବା ସହିତ ବ୍ୟବହାର କରିଥିବା ଗୋଟିଏ ସ୍କୁଟି ମଧ୍ୟ ଜବଦ କରିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ହାଟଡିହି ବ୍ଲକ ଭଅଁରପୁର ଗ୍ରାମର କିସାନ ହାଁସଦାଙ୍କ ଘରୁ ଦୁଇଟି ଛେଳିକୁ କେହି ଚୋରାଇ ନେଇଥିଲେ। ଏନେଇ କିସାନ ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ଥାନା ପୋଲିସ କେସନଂ ୧୪୪, ତାରିଖ ୧୭.୦୭.୨୬ରେ ଏକ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବନ୍ତ ଥାନା ଗଭରପୁର ଗ୍ରାମର ରବୀନ୍ଦ୍ର ବିଶ୍ୱାଳଙ୍କ ପୁଅ ପ୍ରଭାତ କୁମାର ବିଶ୍ୱାଳ (୨୭) ଓ ସେହି ବନ୍ତ ଥାନା ଟିଲ୍ଲୋ ଗ୍ରାମର ଶରତ କୁମାର ରାଉତଙ୍କ ପୁଅ ଶିବ ସୁନ୍ଦର ରାଉତ (୩୫)ଙ୍କୁ ଆଣି ପଚରା ଉଚୁରା କରିବା ପରେ ସେମାନେ ଚୋରୀ ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଚୋରୀ ଛେଳି ଉଦ୍ଧାର କରିବା ସହିତ ଚୋରୀରେ ବ୍ୟବହୃତ ସ୍କୁଟି କୁ ମଧ୍ୟ ଜବଦ କରିଛନ୍ତି। ବିଏନଏସ ର ଧାରା ୩୦୩(୨)/୩(୫) ଅନୁଯାୟୀ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଛି। ଏହି ଚୋରୀ ରେକେଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଏବଂ ଅନ୍ୟ ଛେଳିଟିକୁ ଜବତ କରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।


