କେନ୍ଦ୍ରାପଡାରେ ଉତ୍କଳମଣିଙ୍କ ପୂଣ୍ୟତିଥି
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭୂମିକା ଥିଲା ଅତୁଳନୀୟ। ସେହି ସମୟରେ ଖଣ୍ଡ ବିଖଣ୍ଡିତ ହୋଇକି ରହିଥିବା ଓଡ଼ିଆ ଭାଷାଭାସୀ ଅଞ୍ଚଳକୁ ଉତ୍କଳମଣି ଏକତ୍ରିତ କରିଥିଲେ। ସେହିପରି ଓଡ଼ିଆମାନଙ୍କ ସ୍ୱାଭିମାନକୁ ସେ ସବୁବେଳେ ପ୍ରାଧାନ୍ୟ ଦେଉଥିଲେ। ଯାହା ଫଳରେ ୧୯୩୬ ମସିହା ଅପ୍ରେଲମାସ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ସମ୍ଭବ ହୋଇଥିଲା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମତବ୍ୟକ୍ତ କରିଛନ୍ତି। ଲୋକସେବକ ମଣ୍ଡଳ, ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ସହଭାଗିତାରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୂଣ୍ୟାତ୍ମା ଉତ୍କଳମଣ୍ଡି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଆୟର କହିଲେ ଛାତ୍ରଛାତ୍ରୀମାନେ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଲେ ଦୁଃଖି, ଦରିଦ୍ର ଜନତାଙ୍କ ଦୁଃଖ ଦେଖିଲେ ଉତ୍କଳଳମଣିଙ୍କ ଆଖିରୁ ଲୁହ ଗଡୁୁଥିଲା। ତାଙ୍କଭଳି ମହାତ୍ମା ବର୍ତ୍ତମାନ ସମାଜରେ ବିରଳ। ବନ୍ୟା, ବାତ୍ୟା, ମରୁଡି ସମୟରେ ଉତ୍କଳମଣି ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ସାମଗ୍ରୀ ପ୍ରଦାନ କରୁଥିଲେ। ଯେତେବେଳେ ଲୋକେ ନିଃସହ ହୋଇ ପଡୁôଥଲେ ସେହି ସମୟରେ ଗୋପବନ୍ଧୁ ଲୋକଙ୍କ ପାଇଁ ଆଶାବାଡି ସାଜୁଥିଲେ। ତେଣୁ ବର୍ତ୍ତମାନର ଯୁବପିଢି ତାଙ୍କ ଜୀବନ ଦର୍ଶନକୁ ପାଥେୟ କରି ନିଜ ଜୀବନ ଗଢିବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡ଼ା ଯୋଗଦେଇ କହିଲେ ଗୋପବନ୍ଧୁ ଆମକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଭେଟି ଦେଇଛନ୍ତି। ୧୯୦୭ ମସିହା ବନ୍ୟା ସମୟରେ ଉତ୍କଳମଣି କେନ୍ଦ୍ରାପଡ଼ାର ବନ୍ୟା ବିପନ୍ନଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ପାଇଁ ଯାହା ଚୁଡ଼ା ଚାଉଳ ଆଣିଥିଲେ ତାହାକୁ ସେ ବିପନ୍ନଙ୍କୁ ବାଣ୍ଟିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଲେ ଛାତ୍ରଛାତ୍ରୀମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ମହାନ ବ୍ୟକ୍ତିଙ୍କ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। କେବଳ ଏହାକୁ ଅଧ୍ୟୟନ କଲେ ଏହାର ମୂଳ ଲକ୍ଷ୍ୟ ପୂରଣ ହେବ ନାହିଁ ଏହାକୁ କାର୍ଯ୍ୟରେ ଲଗାଇବା ଉଚିତ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସୁନାଗରିକ ହୋଇ ଦେଶସେବା କରିପାରିବେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ କହିଲେ ଉତ୍କଳମଣି ତାଙ୍କ ସମଗ୍ର ଜୀବନକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଉତ୍କଳମଣିଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଥିଲା।‘ସମାଜ’ର ଜିଲ୍ଲା ପ୍ରତିନିଧି ସୋମନାଥ ସାହୁଙ୍କ ସଭାପତିତ୍ୱ ଏବଂ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପତିତପାବନ ଭଦ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପିକା ଡ. ପୂର୍ବାଷା ପ୍ରିୟଦର୍ଶିନୀ, ପ୍ରାଧ୍ୟାପିକା ଡ. ଦୀପ୍ତି ରାୟ, ପ୍ରାଧ୍ୟାପକ ରଞ୍ଜିତ ଦାସ, ପ୍ରାଧ୍ୟାପକ ଡ.ପ୍ରମୋଦ କୁମାର ଦାସ, ପ୍ରାଧ୍ୟାପକ ପ୍ରମୋଦ କୁମାର ବେହେରା, ପ୍ରାଧ୍ୟାପକ ଡ. ଦେବକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ବେହୁରା, ମୁଖ୍ୟ ଗ୍ରନ୍ଥାଗାରିକ ମାନସ ମଞ୍ଜରୀ ଜେନା, ସବିର ଖାନ୍, ଲକ୍ଷ୍ମୀକାନ୍ତ ନାୟକଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


