ଆସିକାରେ ପନିପରିବା ଦର ଆକାଶ ଛୁଆଁ
ଆସିକା (ୱାଇଏନ୍ଏସ୍): ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପନିପରିବା ଦର ଆକାଶଛୁଆଁ ଭାବେ ବୃଦ୍ଧି ପାଇଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକାରେ ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇଥିବା ଯୋଗୁଁ ଗରିବ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବଜାରରୁ ପରିବା କିଣିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କଞ୍ଚାଲଙ୍କା ଠାରୁ ଆରମ୍ଭ କରି ଟମାଟ, ବାଇଗଣ, ଜହ୍ନି, କାକୁଡି, ଦେଶୀଆଳୁ, ବିଟ୍, ଗାଜର, କାଙ୍କଡ, ଝୁଡୁଙ୍ଗ, ଭେଣ୍ଡି, କୋବି, ବିନ୍ସ, ବିଲାତି, ପୋଟଳ, ଅମୃତଭଣ୍ଡା, ସିମ୍ଲା ଲଙ୍କା, କ୍ୟାପ୍ସିକମ୍, କଞ୍ଚା କଦଳୀ, କାକୁଡି, ଝୁଡୁଙ୍ଗ, କଲରା, ମୁନିକା, ଜହ୍ନି ସମେତ ବିଭିନ୍ନ ପନିପରିବା ଆକାଶଛୁଆଁ ହୋଇଥିବା ବେଳେ ଶହେ ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ୍ ଭର୍ତ୍ତି ହେଉନାହିଁ । ଚାଉଳ, ଡାଲି, ଅଟା, ମଇଦା, ସୁଜି, ଖାଇବା ତେଲ ସମେତ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଆସିକା ଅଞ୍ଚଳରେ କେବେ ପନିପରିବା ଦର ନିୟନ୍ତ୍ରଣକୁ ଆସିବ ତାହାରି ଉତ୍ତର କାହାରି ପାଖରେ ନାହିଁ। ପନିପରିବା ଦର ଆସିକା ଅଞ୍ଚଳରେ ଅଣାୟତ୍ତ ହୋଇପଡିଥିବା ଯୋଗୁଁ ଖାଉଟି କଲବଲ ହୋଇ ପଡୁଥିଲା ବେଳେ ପ୍ରଶାସନ ଚୁପ୍ ବସିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ଦିନକୁ ଦିନ ଆସିକା ଅଞ୍ଚଳରେ ମହଙ୍ଗା ହେବାରେ ଲାଗିଛି ପନିପରିବା ଦର । ଆସିକା ଅଞ୍ଚଳରେ ବଡ କାଙ୍କଡ ଦର ଅତୀତର ସମସ୍ତ ରେକର୍ଡକୁ ଟପିଯାଇଛି । ବଜାରରେ ବଡ କାଙ୍କଡ ଦର କିଲୋ ପିଚ୍ଛା ୧୧୦ ଟଙ୍କା ଛୁଇଁଛି । ପନିପରିବା ଦରକୁ ନେଇ ଖାଉଟିଙ୍କ ନିଦ ହଜିଯାଇଛି । ମାତ୍ର କିଛି ଦିନ ମଧ୍ୟରେ ଭିତରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେଉଁଭଳି ଭାବେ ବଢିଛି ସେଥିରେ ଖାଉଟି କଲବଲ ହେଉଥିବା ବେଳେ ଏବେ କେତେକ ପନିପରିବା ଦର ବଢିବା ବେଢି ଉପରେ କୋରଡା ମାଡ ସଦୃଶ ହୋଇଛି । ବଜାରରେ ବିନ୍ସ, ଟମାଟ, ପିଆଜ ସମେତ ଅନ୍ୟାନ୍ୟ କେତେକ ପନିପରିବା ଦର ଶୁଣିଲେ ଛାନିଆଁ ଲାଗୁଛି । ପରିବା ବଜାରରେ ପଶିବାକୁ ଗ୍ରାହକଙ୍କୁ ଭୟ ଲାଗୁଛି । ବେପାରୀଙ୍କ ପନିପରିବା ଦରର ଡାକ ଶୁଣିଲେ କାନମୁଣ୍ଡା ଝାଇଁଝାଇଁ ହୋଇଯାଉଛି । ସବୁ ସବୁଜ ପରିବା ଦର ୩୦ ରୁ ଆରମ୍ଭ ହୋଇ ୧୧୦ରେ ଛୁଇଁଲାଣି । ସାଧାରଣ ଖାଉଟି ଏବେ କଣ କିଣିବ କଣ ନକିଇବ ସେନେଇ ଚିନ୍ତାରେ ପଡିଯାଇଛି । ରୋଷେଇଶାଳରେ ଏବେ କମ୍ ମୂଲ୍ୟରେ ମିଳୁଥିବା କେତେକ ପନିପରିବାର ରାଜୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଦରଦାମ୍ ବୃଦ୍ଧିରେ ଖାଉଟି ହନ୍ତସନ୍ତ ହୋଇପଡିଲାଣି । ସବୁ ପରିବାର ଅମୁଲମୁଲ ଦେଖି ଗରିବ ଓ ମଧ୍ୟବିତ ପରିବାରର ନିଦ ହଜିଗଲାଣି । ରୋଷେଇ ଘର ସାମଗ୍ରୀର ଏମିତି ଦର ବୃଦ୍ଧି ଦେଖି ଗୃହିଣୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଚିନ୍ତାରେ ପଡିଗଲେଣି । ଚଢା ଦର ଏବେ ଲୋକଙ୍କ ଭୋକ ମାରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳରେ ଆବଶ୍ୟକୀୟ ପରିମାଣର ପରିବା ଉତ୍ପାଦନ ହେଉନଥିବାରୁ ବେଙ୍ଗାଲୋର, ଆନ୍ଧ୍ର, କଲିକତା, ନାସିକ୍, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଝାରଖଣ୍ଡ ସମେତ ବାହାର ରାଜ୍ୟରୁ ବହୁ ପରିବା ଆସୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


