ସମୁଦ୍ର ଅଶାନ୍ତ ଥିବା ପୂର୍ବ ସୂଚନା ନଜଣାଇ ମତ୍ସ୍ୟଜୀବୀଙ୍କ ଉପରେ ଦୋଷ ଲଦା ଘଟଣାକୁ ଗ୍ରାମବାସୀଙ୍କ ବିରୋଧ

ଛତ୍ରପୁର,(ଓ୍ବାଇଏନଏସ)  : ଗୋଟିଏ ଅଘଟଣ ପରେ ଯେମିତି ଚେତା ପସୁଛି ସେମିତି ମତ୍ସ୍ୟ ବିଭାଗ ତରବରିଆ ଭାବେ ନିଜ ଦୋଷ ଲୁଚାଇବାକୁ ଯାଇ ପଦକ୍ଷେପ ନେଇଥିବା ଏକ ଘଟଣା ସାମ୍ନାକୁ ଆସିଛି । ଗତ ୨୮ ତାରିଖରେ ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ଘଟିବା ପରେ ମତ୍ସ୍ୟ ବିଭାଗ ପକ୍ଷରୁ ତରବରିଆ ଭାବେ ସମୁଦ୍ରକୁ ମାଛମରିବା ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି ବୋଲି କୁହାଗଲା । ପ୍ରକାଶ ଥାଉକି, ବାସ୍ତବରେ ଏହା ସତ୍ୟତା ନୁହଁ ସମୁଦ୍ର ଅଶାନ୍ତ ଥିବା ନେଇ ଗତ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରେ ମାଛମାରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ୨୭ ତାରିଖଠୁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟବିଭାଗ ପକ୍ଷରୁ କୌଣସି ମାଧ୍ୟମରେ ସୂଚନା ଦିଆଯାଇନଥିଲା । ହଠାତ୍ ୨୮ ତାରିଖ ରାତି ତଥା ୨୯ ତାରିଖ ପାହାନ୍ତିଆରେ ଏକ ଅଘଟଣ ଘଟିବା ପରେ ମତ୍ସ୍ୟବିଭାଗ ଚେଇଁ ଉଠିଥିଲା । ଯଦ୍ୱାରା ନିଜର ଦୋଷ ଲୁଚାଇ ନିରୀହ ମତ୍ସ୍ୟଜୀବୀ ଉପରେ ସଂପୂର୍ଣ୍ଣ ଦୋଷ ଲଦି ଦେଇଥିବା ନେଇ ସାନନୋଳିଆ ନୂଆଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରାଯାଇଥିବା ସମସ୍ତଙ୍କ ନିକଟରେ ଯେପରି ପ୍ରମାଣଭିତିକ ସୂଚନା ରହିଛି । ସେହିପରି ୨୭ ତାରିଖଠୁ ଅନ୍ୟ ନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛମାରିବା ପାଇଁ ବାରଣ କରାଯାଇଥିବାର କୌଣସି କ୍ଷେତ୍ରରେ ପ୍ରମାଣଭତିକ ସୂଚନା ନଥିବା ଯୋଗୁଁ ମତ୍ସ୍ୟଜୀବୀମାନେ ନିଜର ଗୁଜରାଣ ମେଂଟାଇବା ନିମନ୍ତେ ମାଛମାରିବାକୁ ସମୁଦ୍ରକୁ ଯାଇଥିଲେ । ସମୁଦ୍ରର ଉଚ୍ଚ ଜୁଆରରେ ଅଘଟଣ ଘଟିଥିଲା । ଏଥିପାଇଁ ମତ୍ସ୍ୟ ବିଭାଗ ନିଜର ଦୋଷକୁ ସ୍ୱିକାର ନ କରି ମତ୍ସ୍ୟଜୀବୀ ତଥା ଡଙ୍ଗା ମାଲିକ ଉପରେ ଦୋଷ ଲଦି ଦେଉଛନ୍ତି । ଏହାକୁ ନୋଳିଆନୂଆଗାଁ ଗ୍ରାମବାସୀ ଦୃଢ଼ ନିନ୍ଦା କରିବା ସହ ଘଟଣାର ସତ୍ୟତାକୁ ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ସରପଂଚ ତଥା ମତ୍ସ୍ୟଜୀବୀ ନେତା ଏ.କାଲେୟା, ଏ.ସନ୍ୟାସୀ, ଏମ୍‌.ତାତେୟା, ପି.କାଣ୍ଡେୟା, ଏଙ୍ଗ. ଏରେୟା, ପି.ତାତାଲି, ଏମ୍‌.ମୋହନ, ଏମ୍‌.ବାବାଜୀଙ୍କ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି ଘଟଣାର ସତ୍ୟତା ଛାନଭିନ୍ ନ କରି ଡଙ୍ଗା ମାଲିକ ଏଙ୍ଗ ଏରେୟାଙ୍କ ଡଙ୍ଗା ଲାଇସେନ୍ସ ବାତିଲ କରିବା ସହ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ମତ୍ସ୍ୟବିଭାଗର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ସୂଚନାନୁସାରେ ଗତ ୨୮ ତାରିଖ ରାତି ୩ ଘଂଟା ସମୟରେ ପି.ଏରେୟାଙ୍କ ଡଙ୍ଗାରେ ଏଙ୍ଗ କାଲେୟାଙ୍କ ସମେତ ୭ ଜଣ ମାଛମାରିବା ପାଇଁ ସମୁଦ୍ରକୁ ଯାଇଥିଲେ । ସମୁଦ୍ରର ଉଚ୍ଚ ଲହଡିର ଆଘାତରେ ଡଙ୍ଗା ଓଲଟି ପଡିଥିଲା । ଫଳରେ ଏଙ୍ଗ କାଲେୟା ସମୁଦ୍ର ଭିତରରେ ନିଖୋଜ ହୋଇ ପ୍ରାୟ ୧୨ ଘଂଟା ସମୟ ପରେ ଅଳେଶ୍ୱର ମନ୍ଦିର ନିକଟ ସମୁଦ୍ର କୂଳରେ ମୃତ୍ୟୁ ଅବସ୍ଥାରେ ତାଙ୍କରି ଶବକୁ ଉଦ୍ଧାର କରାଯାଇଥିଲା । ହେଲେ ଘଟଣାର ସତ୍ୟତାକୁ ଅନୁସନ୍ଧାନ ନ କରି ଜିଲ୍ଲା ପ୍ରଶାସନ ତଥା ମତ୍ସ୍ୟ ବିଭାଗ ପକ୍ଷରୁ ପି.ଏରେୟାଙ୍କ ଡଙ୍ଗାର ଲାଇସେନ୍ସକୁ ବାତିଲ କରିବା ଏବଂ ତାଙ୍କ ନାମରେ ଥାନାରେ ଏତଲା ଦେବା ପାଇଁ ମତ୍ସ୍ୟ ଅଧିକାରୀଙ୍କ ସୂଚନା ପ୍ରକାରେ ବିଭିନ୍ନ ଗଣମାଧ୍ୟମରେ ଗତ ୩୦ ତାରିଖରେ ସୂଚନା ପ୍ରକାଶ ପାଇଥିଲା । କିନ୍ତୁ ଗତ ୨୪ ତାରିଖଠୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛମାରିବାକୁ ନ ଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ସାଗରମିତ୍ରଙ୍କ ମାଧ୍ୟମରେ ଏବଂ ମୋବାଇଲ୍ ମେସେଜ୍ ଜରିଆରେ ସଚେତନତା କରାଯାଇଥିଲା ଏହା ସତ । କିନ୍ତୁ ୨୭ ତାରିଖ ପରଠୁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୌଣସି ସୂଚନା କିମ୍ବା କାହାରି ମାଧ୍ୟମରେ ଅବଗତ କରାଯାଇ ନାହିଁ । ଫଳରେ ମତ୍ସ୍ୟଜୀବୀମାନଙ୍କ ମାଛମାରି ଜୀବନଜୀବିକା ଛଡା ଅନ୍ୟ କୌଣସି ରୋଜଗାର ନଥିବାରୁ ୨୮ ତାରିଖର ରାତିରେ ଡଙ୍ଗାରେ ସମୁଦ୍ରକୁ ମାଛ ମାରିବା ପାଇଁ ବାହାରିଥିଲେ । ସମୁଦ୍ରର ଉଚ୍ଚ ଜୁଆରରୁ ଡଙ୍ଗା ଓଲଟି ଯାଇଥିବା ବେଳେ ଅଘଟଣ ଘଟିଥିଲା । ଏଥିପାଇଁ ମତ୍ସ୍ୟ ବିଭାଗ ନିରୀହ ଡଙ୍ଗାର ମାଲିକ ଏଙ୍ଗ ଏରେୟାଙ୍କ ଉପରେ ସଂପୂର୍ଣ୍ଣ ଦୋଷ ଲଦି ତାଙ୍କରି ଡଙ୍ଗାର ଲାଇସେନ୍ସ ରଦ୍ଦ କରିବା ସହ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ନିର୍ଦ୍ଦେଶକୁ ଆମେ ମତ୍ସ୍ୟଜୀବୀ ସାନ ନୋଳିଆ ନୂଆଗାଁ ଗ୍ରାମବାସୀ ଏହାକୁ ଦୃଢ଼ ନିନ୍ଦା କରିବା ସହ ମତ୍ସ୍ୟ ବିଭାଗ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ