ଜଳଛାୟା ପ୍ରକଳ୍ପ ମହାଦୁର୍ନୀତି: ଖାତାରେ ଅଛି, କ୍ଷେତରେ ନାହିଁ !
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ହେକ୍ଟର ହେକ୍ଟର ଜମିରେ ଲାଗିଥିଲା କାଜୁ ଚାରା। ସୁରକ୍ଷା ପାଇଁ ସବୁଜ ବାଡ଼ ମଧ୍ୟ ବୁଲାଇଥିଲେ । କାର୍ଯ୍ୟ ଆରମ୍ଭ, ଶ୍ରମିକଙ୍କ ମଜୁରି, ସାମଗ୍ରୀ ଖର୍ଚ୍ଚର ତଥ୍ୟ ସୂଚନା ଫଳକ ଓ ବିଭାଗୀୟ ଫାଇଲ୍ରେ ଉଲ୍ଲେଖ କରାଯାଇଛି। ଖାତାରେ କାଜୁ ରୋପଣ ହୋଇଥିବା ବେଳେ କ୍ଷେତରେ ଗୋଟିଏବି ଗଛ ଏବେ ଦେଖିବାକୁ ମିଳୁନି । ଏହି କାଜୁ ଚାରାରୋପଣ ବାବଦରେ ଅଯଥା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା | ଦୁର୍ନୀତି ଅଭିଯୋଗ ଆସିବା ପରେ ମଧ୍ୟ ବିଭାଗୀୟ ତଦନ୍ତ କରିନଥିବାରୁ ବାସ୍ତବରେ ଧରା ପଡିଯିବ ବୋଲି ବାଟ ବଣା କରାଯାଉଛି ବୋଲି ଅଞ୍ଚଳରେ ଚର୍ଚା ହେଉଛି। ୨୪-୨୫ ଆର୍ଥିକ ବର୍ଷରେ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବିଭନ୍ନ ସ୍ଥାନରେ ଚାଷୀଙ୍କ ନାମରେ ଗଛ ଲଗାଯାଇଥିବା ଦର୍ଶା ଯାଇଥିବା ବେଳେ ବାସ୍ତବରେ ଜଲଛାୟା ପ୍ରକଳ୍ପ ଅଧିକାରୀ ଓ କିଛି ଦଲାଲ କୋଟି କୋଟି ଟଙ୍କା ସ୍ୱହା କରିଦେଇଥିବାରୁ ଖାତାରେ ଗଛ ଥିବା ବେଳେ କ୍ଷେତରେ ନଥିବା ଦେଖିବାକୁ ମିଳିଛି। ୨୦୨୪ ଅଗଷ୍ଟ ୭ରେ କାମ ଆରମ୍ଭ ହୋଇଥିବା ନେଇ ସୂଚନା ଫଳକରେ ଦର୍ଶାଯାଇ ପୁଣି ସୂଚନା ଫଳକ ସେଠାରୁ ଉଠାଇ ନେଇଯାଇଥିବାରୁ କ୍ଷେତ ନିକଟରେ ସୂଚନା ଫଳକ ନାହିଁ। ଅଣକୁଶଳୀ ଶ୍ରମିକଙ୍କ ମଜୁରି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସାମଗ୍ରୀ କିଣା ବାବଦକୁ ନକଲି ଭେଣ୍ଡର ଠାରୁ ଖର୍ଚ୍ଚ କରାଯାଇ ଲକ୍ଷଲକ୍ଷ ଟଙ୍କା ବିଲ ମଧ୍ୟ ହୋଇଛି। ଅନେକ ହିତାଧିକାରୀଙ୍କ ନାମରେ ଫାଇଲ୍ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କା ଲେଖାଁଏ ଖର୍ଚ୍ଚ ଦର୍ଶାଯାଇଛି। ଚାରାରୋପଣ ହୋଇଥିବା ହେକ୍ଟର ଅଞ୍ଚଳ ସମତଳ ଏବଂ ୫ ହେକ୍ଟର ଅଞ୍ଚଳ ପାହାଡ଼ିଆ ସ୍ଥାନ ରହିଛି। ତେବେ ହେକ୍ଟର ହେକ୍ଟର ଜମିରେ ଲାଗିଥିବା କାଜୁ ଗଛ ଦେଖିବାକୁ ମିଳୁନି। ଉକ୍ତ କ୍ଷେତରେ ଅନ୍ୟ ଚାଷ ହେଉଥିବା ବେଳେ ବିଭାଗର ଏପରି ଦୁର୍ନୀତି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଅବଗତ ହେବା ପରେ ତଦନ୍ତ ଦାବି କରିଛନ୍ତି। କିଛି ସ୍ଥାନରେ ଚାରା ରୋପଣ ହୋଇଥିବା ବେଳେ ଗଛ ଦେଖିବାକୁ ମିଳୁନି କିନ୍ତୁ ଚାରାରୋପଣରେ ହୋଇଥିବା ରକ୍ଷଣାବେକ୍ଷଣ ବାବଦ ଖର୍ଚ ହୋଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ମଧ୍ୟ ଏହି ବ୍ଲକରେ କାଜୁ ଗଛ ଲଗାଇବା, ଜମି ସମତଳ ନାମରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ତଞ୍ଚକତା ହୋଇଥିଲେ ମଧ୍ୟ୍ୟ ଚାପି ଦେଇଛନ୍ତି ବିଭାଗ। ପୂର୍ବତନ ପ୍ରକଳ୍ପ ନିର୍ଦେଶକ କାଶୀପୁର ବ୍ଲକରେ ଦୁର୍ନୀତିରେ ଛନ୍ଦି ହୋଇ ବିଜିଲାନ୍ସ ଧରା ପଡି ଜେଲ ଯାଇଥିବା ବେଳେ ବର୍ତମାନ ଉକ୍ତ କାର୍ଯ୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ଯେଉଁମାନେ ଚାରା ରୋପଣରେ ଦୁର୍ନୀତି କରିଛନ୍ତି ସେମାନଙ୍କର ଛାତି ଥରୁଛି।ବର୍ତମାନ ଜିଲ୍ଲା ପ୍ରଶାସନ କଲ୍ୟାଣସିଂହପୁର ବ୍ଲକରେ ଲଗା ଯାଇଥିବା କାଜୁ ଗଛକୁ ତନ ତନ ତଦନ୍ତ କରି ଭିଜିଲାନ୍ସକୁ ତଦନ୍ତ ପାଇଁ ହସ୍ତାନ୍ତର କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ଓ ଏହି କାର୍ଯ୍ୟକ୍ରମରେ କିଏ କିଏ ସାମିଲ ହୋଇ ଲୁଟ କରିଛନ୍ତି ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି।


