ଆସିକାରେ ପିଲାଙ୍କୁ କେବେ ମିଳିବ ସଂଶୋଧିତ ପାଠ୍ୟପୁସ୍ତକ ?
ଆସିକା (ୱାଇଏନ୍ଏସ୍) :ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭର ୫ ମାସ ବିତିଯାଇଛି ତଥାପି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା, ଭେଟନଇ, କାଳଷଣ୍ଢପୁର, ବାବନପୁର, ବଡଖୋଲିି, ଖାରିଆ, କେ.ନୁଆଁପଲ୍ଲୀ, ନିମିନା, କେନ୍ଦୁପଦର, ଗଙ୍ଗାପୁର, ନଳବଣ୍ଟା, ଆସିକା ସଦର, ହରିଡାପଦର କ୍ଳଷ୍ଟର ଅଧିନସ୍ଥ ଅଞ୍ଚଳରେ ଥିବା ପ୍ରାୟ ଶତାଧୀକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ଏ ଯାଏଁ ସଂଶୋଧିତ ପାଠ୍ୟପୁସ୍ତକ ମିଳିପାରି ନଥିବା ଯୋଗୁଁ ବହୁ ଅଭିଭାବକ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଠପଢା ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳୁଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଆଉମାତ୍ର କିଛି ଦିନ ପରେ ଆରମ୍ଭ ହେବ ପ୍ରଥମ ସମାପ୍ତି ସୂଚକ ଆକଳନ (ସମ୍ମେଟିଭ୍ ଆସେସ୍ମେଣ୍ଟ-୧ ପରୀକ୍ଷା) । ଶିକ୍ଷାବର୍ଷ ୨୦୨୬-୨୭ ସକାଶେ ଶିଶୁବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମାପ୍ତିସୂଚକ ଆକଳନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଛାତ୍ରଛାତ୍ରୀମାନଙ୍କୁ କେବେ ସଂଶୋଧିତ ପାଠ୍ୟପୁସ୍ତକ ମିଳିବ ତାହାରି ଉତ୍ତର କାହାରି ପାଖରେ ନାହିଁ । ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକକୁ ପରିବର୍ତ୍ତନ କରାଯାଇଥିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଓଡିଶା କରିକୁଲମ୍ ଫ୍ରେମୱାର୍କ (ସ୍କୁଲ ଶିକ୍ଷା) ୨୦୨୫ ଆଧାରରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ଥର ଶିକ୍ଷାବିଭାଗ ପକ୍ଷରୁ ନୂତନ ପାଠ୍ୟପୁସ୍ତକ ମୂଦ୍ରଣ ହୋଇଥିବା ବେଳେ ମାଳ ମାଳ ତ୍ରୁଟିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶିକ୍ଷାବିଭାଗର ଏକାଡେମିକ୍ କ୍ୟାଲେଣ୍ଡର ଅନୁସାରେ ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରୁ ୨୬ ତାରିଖ ଯାଏଁ ଦଶହରା ଛୁଟି ହେବ । ଏହା ପୂର୍ବରୁ ଆସନ୍ତା ଶେଷ ସପ୍ତାହ ସୁଦ୍ଧା ପ୍ରଥମ ସମାପ୍ତି ସୂଚକ ଆକଳନ ପରୀକ୍ଷା ସାରିବାକୁ ଶିକ୍ଷାବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଥିବା କେତେକ ଭୂଲକୁ ନେଇ ପିଲା କିପରି ପରୀକ୍ଷା ଦେବେ । ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇନଥିବା ବେଳେ ବହୁ ଶିକ୍ଷକ ୧୨୨ ପୃଷ୍ଠାର ଏକ ପିଡିଏଫ୍ ଫାଇଲ୍କୁ ଅନୁଶୀଳନ ଓ ସଂଶୋଧନ କରି ପିଲାଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ବହୁ ଶିକ୍ଷକ ନାନା ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିବା ଆଲୋଚିତ ହେଉଛି । ସଂଶୋଧିତ ପାଠ୍ୟପୁସ୍ତକ ଅଭାବରୁ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଶା କରିଥିବା ସଫଳତା ପାଇବା ନେଇ ଆଶଙ୍କାରେ ରହିଛନ୍ତି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।


