ଆବାସ ଯୋଜନାର ପ୍ରକୃତ ହିତାଧିକାରୀଙ୍କୁ କେବେ ମିଳିବ ସହାୟତା
ସମ୍ବଲପୁର,(ଲିପନ ନାଏକ): ସରକାର ଘୋଷଣା କରିଛନ୍ତି ପ୍ରତ୍ୟେକ ପରିବାରକୁ ପକ୍କା ଘର, ହେଲେ ପକ୍କା ଘର କାହା ପାଇଁ ? ଧନୀଙ୍କ ପାଇଁ ନା ଗରିବଙ୍କ ପାଇଁ ଜମିକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନବାଚୀ । ଆଜ୍ଞା ହଁ , ସରକାର ଏବେ ପ୍ରତ୍ଯେକ ଗରିବ ଗୁରୁବାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଶତ ପ୍ରତିଶତ ପ୍ରତିଶ୍ରୁତି ବଦ୍ଧ ଥିବା କହୁଥିବା ବେଳେ ପ୍ରତ୍ୟେକ ପଂଚାୟତରେ ପଂଚାୟତ ନିର୍ବାହୀଙ୍କ ତତ୍ବାବଧାନରେ ଘର ଘର ବୁଲି ସର୍ଭେ କାର୍ଯ୍ୟ ମଧ୍ୟ ସାରି ସାରିଛି । ୨୦୨୬ର ପ୍ରଥମ ଫେଜରେ ମଧ୍ୟ ଅନେକ ଲୋକ ଏହି ଯୋଜନାର ସୁଫଳ ପାଇଛନ୍ତି । ହେଲେ ଯେଉଁ ମାନଙ୍କ ନାମରେ ଘର ଆସୁଛି ସେମାନେ ନିଜର ସୁସ୍ଥ ସାଂସାରିକ ଜୀବନ ଯାପନ ଅତିବାହିତ କରୁଥିଲେ ମଧ୍ୟ ସେମାନେ ପକ୍କା ଘର ଖଣ୍ଡିଏ ପାଇଥିବା ଦେଖିବାକୁ ମିଳିଛି । ମାତ୍ର ଏବେବି ବହୁ ଗରିବ ଅସହାୟ ବୃଦ୍ଧା ଦାମ୍ପତ୍ୟ ସେହି ଘର ଯୋଜନାର ସୁଫଳରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ଏହାକୁ ରାଜନୈତିକ ପକ୍ଷପାତିତା ନା ପ୍ରଶାସନିକ ତ୍ରୃଟି ତାହା ତଦନ୍ତ ସାପେକ୍ଷ । ଯେତେବେଳେ ଜଣେ ପଞ୍ଚାୟତ ଅଧିକାରୀ ନିଜ ପଂଚାୟତର ସମସ୍ତ ଘର ସର୍ଭେ କରୁଛନ୍ତି, ସେ ପ୍ରଥମେ ଚିହ୍ନଟ କରୁଥିବା ଗରିବ ଲୋକ ଅଥବା ଦୟନୀୟ ଅଭାବରେ ଚଳୁଚି ସେମାନଙ୍କ ତାଲିକା ସରକାରଙ୍କ ନିକଟକୁ ପଠାଉଛନ୍ତି । ମାତ୍ର ତା’ମଧ୍ଯରେ କିପରି ତ୍ରୃଟି ରହିଯାଉଛି ଯାହା ଫଳରେ ପ୍ରକୃତ ହିତାଧିକାରୀ ହତାଶ ହେଉଛି ତାହା ତଦନ୍ତ ସାପେକ୍ଷ । ଏପରିକି କେତେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦେଇ ନିଜ ପେଟ ପାଟଣା ଓ ମୁନାଫା ଉଠାଇବା ଅଭିସନ୍ଧି ରଖୁଥିବା ଅଭିଯୋଗ ହେଉଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ ଗ୍ରାମର ଉକିଆ ରାଉତ(୬୬) ଓ ତାଙ୍କ ସ୍ୱାମୀ ପୂର୍ଣଚନ୍ଦ୍ର ରାଉତ (୭୫) ଙ୍କ ପାଇଁ ଘର ଘଣ୍ଡିଏ ସାତସପନ ହୋଇଯାଇଛି l ଦୁଇ ବର୍ଷ ତଳେ ଲଘୁଚାପ ଜନିତ ବର୍ଷାରେ ଲାଡ ଗ୍ରାମର ଉକିଆ ରାଉତଙ୍କ ମାଟିଘର ଟି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି l ଘରର ଝାଟିମାଟି କାନ୍ଥଟି ଭାଙ୍ଗି ପଡିଥିବାରୁ ଏବେ ଗୋଟିଏ କୋଠରୀରେ ରୋଷଇଵାସ ସହ ରହିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଛି । ପରିବାର କହିଲେ ଉକିଆ ଓ ତାଙ୍କ ବୃଦ୍ଧ ସ୍ୱାମୀ ଓ ଦୁଇ ପୁଅ l ଦୁଇ ପୁଅଙ୍କର ବିବାହ ପରେ ଦୁହେଁ ଅଲଗା ରୋଷଇ ଓ ଅଲଗା ଅଲଗା ହୋଇ ଚଳୁଛନ୍ତି । ବୃଦ୍ଧ ମାଁ ବାପାଙ୍କ ଦୁଃଖ କୋୖଣସି ପୁଅ ବୁଝୁନଥିବା ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ଏହି ଗରିବ ବୃଦ୍ଧ ଦମ୍ପତି ରହୁଛନ୍ତି । ବହୁ କଷ୍ଟରେ କୁଚିଣ୍ଡା ଆର ଆଇ ଅଫିସରୁ ସରକାରୀ ସହାୟତା ଭାବେ ଗୋଟିଏ ଦରି ଆଣି ଭଙ୍ଗାରୁଜା ଘରେ ଟାଙ୍ଗି ରହୁଛନ୍ତି l ଯାହା ଚଳିତ ଲଘୁଚାପ ବର୍ଷା ରେ କ୍ଷତି ହୋଇ ବସିଲାଣି l ଏହାକୁ ନେଇ ବୃଦ୍ଧ ଦମ୍ପତି ୱାର୍ଡ ମେମ୍ବର ଠୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ବହୁବାର ଗୁହାରି କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ଗୁହାରିକୁ କେହି କର୍ଣ୍ଣପାତ କରୁନଥିବା ଏହି ବୃଦ୍ଧ ଦମ୍ପତି କାନ୍ଦି କାନ୍ଦି ଆମ ପ୍ରତିନିଧିଙ୍କୁ କହିଛନ୍ତି l ଉକିଆ ଓ ତାଙ୍କ ସ୍ୱାମୀ ଙ୍କୁ ସରକାରୀ ସହାୟତା କହିଲେ ପଂଚାୟତ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କେଜି ଚାଉଳରେ ହିଁ ସିମୀତ l ହେଲେ ଏହି ୧୦ ଚାଉଳ ସହ ବାର୍ଦ୍ଧକ୍ୟ ଭତ୍ତା ତାଙ୍କ ଖାଇବା ପାଇବା ଚାଲଣ ତ ହେଇ ଯାଉଛି କିନ୍ତୁ ନିଜ ଔଷଧ ଖର୍ଚ୍ଚ ଦେହ ଯତ୍ନ ପାଇଁ ଏହି ପଇସା ନିଅଣ୍ଟ ହୋଇପଡୁଛି ବୋଲି ଏହି ଦମ୍ପତ୍ତି ଅଭିଯୋଗ କରିଛନ୍ତି l ହେଲେ ସରକାର ଅନେକ ସମୟରେ ଲୋକଙ୍କୁ ଘର ପ୍ରତିଶୃତି ଦେଇ ଚାଲିଛନ୍ତି, କିନ୍ତୁ ତାଙ୍କ ପାଇଁ ସରକାର କୌଣସି ଘର ବ୍ୟବସ୍ଥା କରିନାହାନ୍ତି ବୋଲି ଉକିଆ କହିଛନ୍ତି l ଏହାକୁ ନେଇ ବକ୍ସମା ପଞ୍ଚାୟତ ଅଧିକାରୀ ନିତ୍ୟାନନ୍ଦ ସାହୁଙ୍କୁ ପଚାରିବାରେ ନିଜ ଅସହାୟତାକୁ ଲୁଚାଇ ଏହି ପଞ୍ଚାୟତରେ ମୁଁ ମାତ୍ର ଏକ ମାସ ହେବ ଯୋଗ ଦେଇଛି । ପ୍ରଥମ ଫେଜରେ ୧୧ଟି ଘର ଆସିଥିବା ବେଳେ ସମସ୍ତ ଗ୍ରାମକୁ ଭାଗ ଭାଗ କରି ଦିଆଯାଇଛି । ଯଦି ସେହି ବୃଦ୍ଧ ଦମ୍ପତ୍ତି ବହୁତ ଅସୁବିଧାରେ ଅଛନ୍ତି ତେବେ ମୁଁ ନିଜେ ଯାଇ ତାଙ୍କୁ ସାକ୍ଷାତ କରି ଆଗାମୀ ଫେଜରେ ତାଙ୍କୁ ଘର କରାଇବା ପାଇଁ ଉପରସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇବି ବୋଲି କହିଛନ୍ତି । ପ୍ରଶାସନ ତୁରନ୍ତ ଏହି ଘଟଣାର ତଦନ୍ତ କରି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।


