ଲଗାଣ ବର୍ଷାରେ କାହିଁକି କଟକ ହେଲା ଜଳମଗ୍ନ: ସ୍ଥିତି ପରଖିଲେ କେଏମସି କମିଶନର କିରଣ ଦୀପ କୌର

କଟକ,(ଓ୍ବାଇଏନଏସ): ସହରରେ ଆଉ ବର୍ଷା ନାହିଁ । ମାତ୍ର ଲଗାଣ ବର୍ଷା ଯୋଗୁଁ କଟକ ସହରର ଅନେକ ତଳିଆ ଅଞ୍ଚଳରେ ଜମି ରହିଛି ବର୍ଷା ଜଳ । ପାଣି ପମ୍ପ ସାହାଯ୍ୟରେ ଯଦିଓ ଜଳ ନିଷ୍କାସନ କରାଯାଇଛି, ତଥାପି ପୂର୍ବରୁ ଅନେକ ପଦକ୍ଷେପ ନେବା ସତ୍ବେ କାହିଁକି ଜଳମଗ୍ନ ସ୍ଥିତି ଉପୁଜିଲା ବୋଲି ପ୍ରଶ୍ନ ଉଠିଛି! ଫେଲ ମାରିଲା କି ବର୍ଷା ମୁକାବିଲା ଯୋଜନା! ମୌସୁମୀ ପୂର୍ବରୁ ସହରରେ ଯେପରି ଜଳମଗ୍ନ ସ୍ଥିତି ନ ଉପୁଜେ ସେଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲା ସିଏମସି । ବିଶେଷକରି ସହରରେ ପଙ୍କ ଉଦ୍ଧାର କରିବା, ଡ୍ରେନ ସଫା କରିବା ଏବଂ ଆବଶ୍ୟକ ଅନୁସାରେ ପାଣି ପମ୍ପ ବ୍ୟବହାର କରିବା ଭଳି ପଦକ୍ଷେପ ନେଇଥିଲା କେଏମସି । ମାତ୍ର ଲଗାଣ ବର୍ଷା ଫଳରେ ସହରରେ ଦୀର୍ଘ ସମୟ ଧରି ବର୍ଷା ଜଳ ଜମି ରହିବା କେଏମସି ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବତନ କର୍ପୋରେଟର ଅରୁଣ ସେଠି କହିଛନ୍ତି, ‘ସହରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଜଳ ଜମି ରହିବା ପାଇଁ ମେୟର ହିଁ ଦାୟୀ । ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ମେୟର ବିଫଳ ହୋଇଛନ୍ତି’ ବୋଲି ପୂର୍ବତନ କର୍ପୋରେଟର କହିଛନ୍ତି । ସଠିକ ଭାବରେ ଡ୍ରେନ ସଫା ନହେବା, ପଙ୍କ ଉଦ୍ଧାର କାର୍ଯ୍ୟରେ ଅନିୟମିତତା ପାଇଁ ସହରରେ ଜଳମଗ୍ନ ସ୍ଥିତି ଉପୁଜି ଥିବା ଅରୁଣ ଅଭିଯୋଗ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କେଏମସି କମିଶନର କିରଣ ଦୀପ କୌର । ସେ କହିଛନ୍ତି ‘ଲଗାଣ ବର୍ଷା ଯୋଗୁଁ ସହରରେ ଏପରି ସ୍ଥିତି ଉପୁଜିଛି । ବର୍ଷା ଛାଡିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ବିଶେଷକରି ବକ୍ସ ଡ୍ରେନରେ ଜଳସ୍ତର ଅଧିକ ରହି ଥିଲା । ତେଣୁ ଏହାକୁ ଲାଗି ଥିବା ସାହିରେ ଜଳମଗ୍ନ ସ୍ଥିତି ଉପୁଜିଥିଲା । ମାତ୍ର ବଡ଼ ବଡ଼ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରା ଯାଇଛି । ସେହିପରି ଯେଉଁ ତଳିଆ ଅଞ୍ଚଳ କିମ୍ବା ବସ୍ତି ଅଞ୍ଚଳ ଜଳମଗ୍ନ ହେବା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଵେ ଅଧିକ ବର୍ଷା ପାଇଁ ଜଳମଗ୍ନ ସ୍ଥିତି ଉପୁଜିଥିବା କମିଶନର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ