ମହିଳା ଜେସିସ୍ ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ
ଆସିକା (ୱାଇଏନ୍ଏସ୍): ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ମହିଳା ଜେସିସ୍ ପକ୍ଷରୁ ସ୍ଥାନୀୟ ମା’କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ବିଶ୍ୱବନ୍ଧୁତ୍ୱ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତା ଯୋଗଦେଇ ବିଶ୍ୱ ବନ୍ଧୁତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ବିଶ୍ୱ ବନ୍ଧୁତ୍ୱ ଦିବସର ଶୁଭେଛା ଓ ଶୁଭକାମନା ଜଣାଇଥିଲେ। ଆସିକା ସୁଗର୍ଟାଉନ୍ ମହିଳା ଜେସିସ୍ ପକ୍ଷରୁ ଅନୁଷ୍ଠିତ ଏହି ବିଶ୍ୱ ମୈତ୍ରୀ ଦିବସ ପାଳନ କାର୍ଯ୍ୟକ୍ରମରେ ସଂଘର ସଦସ୍ୟା ୟୁ.ସାଇଶ୍ୱରୀ ପାତ୍ର, ମୌସୁମୀ କୁମାରୀ ସାହୁ, ଭାଗ୍ୟଶ୍ରୀ ପାତ୍ର, ସିଏଚ୍.ରଶ୍ମିତା ପାତ୍ର, ସୋନାଲୀ ପଣ୍ଡା, ଏସ୍.ରୂପଶ୍ରୀ ପୃଷ୍ଟି, ଜୟିତା ପାତ୍ର, ସୁଧାଞ୍ଜଳୀ ପାତ୍ରଙ୍କ ସମେତ ବହୁ ସଭ୍ୟା ଯୋଗଦେଇ କେକ୍ କାଟି ପରସ୍ପରକୁ ବିଶ୍ୱବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇବା ସହିତ ହାତରେ ବନ୍ଧୁତ୍ୱର ଡୋରି ବାନ୍ଧିଥିବା ଲକ୍ଷ୍ୟ କରାଯାଇଥିଲା । ବନ୍ଧୁ ଏମିତି ଏକ ପବିତ୍ର ସଂପର୍କ ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ, ଧନୀ ଓ ଗରିବର କୌଣସି ପ୍ରତିବନ୍ଧକ ନଥାଏ । ପରିବାର ଠାରୁ ବାହାରେ ଯଦି କିଏ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନ କରିଥାଏ ସେ ହେଉଛି ଉତ୍ତମ ବନ୍ଧୁ । ଆଧୁନିକତାର ଛାପରେ ସୋସିଆଲ୍ ମିଡିିଆ ପ୍ଳାଟ୍ଫର୍ମ ଭଳି ଆଜିର ଡିଜିଟାଲ୍ ଯୁଗରେ ବି ଆସିକାର ସୁଗର୍ ଟାଉନ୍ ଜେସିସର ମହିଳା ସଦସ୍ୟାମାନେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରି ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସାଙ୍ଗକୁ ସୁଖଦୁଃଖ ବାଣ୍ଟି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


