କେନ୍ଦ୍ରାପଡାରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଝୁଲଣମଣ୍ଡପ ସମ୍ମୁଖରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି। ଦିବ୍ୟଜୀବନସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରାର୍ଥନା ଦିବସରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶ୍ରୀମାଙ୍କ ଉଦ୍ୟମରେ ଆଜିକୁ ଦୀର୍ଘ ୯ବର୍ଷ ଧରି ପାଳିତ ହୋଇ ଆସୁଥିବା ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ସାରା ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ। ଶ୍ରୀମାଙ୍କ ଏହି ଉଦ୍ୟମକୁ ଜିଲ୍ଲାପାଳ ଶ୍ରୀ ଆୟାର ପ୍ରଶଂସା କରିବା ସହ ସାଧୁବାଦ ଜଣାଇବା ସହ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ମୁଖ୍ୟଅତିଥି ଭାବେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ବିଶ୍ୱର ଶାନ୍ତି ନିମିତ୍ତ ଏଭଳି ଦିବସ ପାଳନର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶ୍ରୀମାଙ୍କ ପ୍ରତ୍ୟେକ୍ଷ ପ୍ରଚେଷ୍ଟାରେ ଆଜି ପର୍ଯ୍ୟନ୍ତ ପାଳିତ ହୋଇ ଆସୁଥିବା ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ଓଡିଶାର ବିଭିନ୍ନ ଜିଲ୍ଲା, ବ୍ଲକ ସଦର ମହକୁମା ସମେତ କେତେକ ରାଜ୍ୟରେ ପାଳିତ ହୋଇ ଆସୁଅଛି। ଶ୍ରୀମାଙ୍କ ଏଭଳି ସାଧୁ ଉଦ୍ୟମ ପାଇଁ ବିଧାୟକ ଡ. ନାୟକ ସାଧୁବାଦ ଜ୍ଞାପନ କରିବା ସହ ଏହି ଦିବସ ଦେଶର ସମସ୍ତ ସ୍ଥାନରେ ପାଳନ କରାଯିବା ପାଇଁ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି ଏହାର ଆବଶ୍ୟକ ବିଧିବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏଥିସହିତ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ନିର୍ମାଣାଧିନ ତୁଳସୀଭବନକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। ଶ୍ରୀମା ଏହି ଅବସରରେ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା ଦିବସ ପାଳନ କରାଯିବାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ବାବାଜୀ ରାମସରଣାନନ୍ଦ ସରସ୍ୱତୀ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଡ଼. ବାସୁଦେବ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଂଜନ ରାଉତ, କବି କରୁଣାକର ଦାସ, ଶୁଭାଂଶୁ ଦାସ, ଅଭିମନ୍ୟୁ ଗୋଛାୟତ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ପ୍ରାଧ୍ୟାପକ ଅଜୟ ସାମଲ, ଦୈା୍ରପଦୀ ରାଉତ ପ୍ରମୁଖ ପ୍ରାର୍ଥନା ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ. ବି. କେ ସ୍ନେହଲତା ପ୍ରଧାନ, ସରୋଜ କୁମାର ମହାନ୍ତି, ବାବାଜୀ ନୃସିଂହ ଦାସ, ପୁନମ ନାୟକ, ପ୍ରଭାତ କୁମାର ପରିଡା, ସାବିତ୍ରୀ ପରିଡା, ବିକ୍ରମ କେଶରୀ ରାଉତରାୟ, ବଳଦେବ ସେନା ସଭାପତି ପୁପୁନ କୁମାର ସ୍ୱାଇଁ, ସମ୍ପାଦକ ଓ ସମସ୍ତ କର୍ମକର୍ତ୍ତାଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା ସମେତ ଜିଲ୍ଲାର ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡା, ଗରଦପୁର, ପାଟକୁରା, ଡେରାବିଶ ସମେତ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ସ୍ଥାନ, ଭୁବନେଶ୍ୱର, କଟକ, ସମ୍ବଲପୁର, ଅନୁଗୁଳ, ଜଗତସିହପୁର, ଯାଜପୁର, ରାଉରକେଲା ଓ ବାଙ୍ଗାଲୋର, ଅହମଦାବାଦ, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।


