ଆସିକାରେ ଡିଜିଟାଲ୍ ଶିକ୍ଷା ବାଟବଣା ବିଦ୍ୟାଳୟରେ ଅବ୍ୟବହୃତ ହୋଇପଡିରହିଛି ଟାବ୍ଲେଟ୍
ଆସିକା, (ୱାଇଏନ୍ଏସ୍):ଯେଉଁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅନ୍ତର୍ଗତ ଶତାଧୀକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଟାବ୍ଲେଟ୍ ପ୍ରଦାନ କରାଯାଇଥିଲା ତାହା ସଂପ୍ରତି ଅବ୍ୟବହୃତ ହୋଇ ପଡିରହିଥିଲା ବେଳେ ଟାବ୍ଲେଟ୍ କ୍ରୟ କରିବା ପାଇଁ ବିନିଯୋଗ ହୋଇଥିବା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବିଦ୍ୟାଳୟକୁ ଗତ କିଛି ମାସ ତଳେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ମୂଲ୍ୟବାନ ତଥା ନାମିଦାମୀ କମ୍ପାନୀର ଟାବ୍ଲେଟ୍ ପ୍ରଦାନ କରାଯାଇଥିଲା । ଡିଜିଟାଲ୍ ଶିକ୍ଷାର ବିକାଶ ପାଇଁ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରାଯାଇଥିବା ଟାବ୍ଲେଟ୍ ଗୁଡିକ ବହୁ ବିଦ୍ୟାଳୟରେ ଅବ୍ୟବହୃତ ହୋଇପଡିରହିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କ୍ରୟ କରାଯାଇଥିବା ଟାବ୍ଲେଟ୍ ଗୁଡିକ କୌଣସି କାମରେ ଆସୁନଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ପ୍ରଥମତଃ ଏଥିରେ ଆବଶ୍ୟକ ସଫ୍ଟଟୱେର୍ କିମ୍ବା ଆପ୍ ଲୋଡ୍ ହୋଇନାହିଁ । ଏଥିରେ କମ୍ପାନୀର ସିମ୍ କାର୍ଡ ପଡିବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଆଲୋଚିତ ହେଉଛିି । ଏ ସଂପର୍କରେ କାହାରି ନିକଟରେ କୌଣସି ସୂଚନା ମଧ୍ୟ ମିଳୁୁପାରୁ ନାହିଁ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟାବ୍ଲେଟ୍ ଚଳାଇବା ସଂକ୍ରାନ୍ତରେ ତାଲିମ୍ ମଧ୍ୟ ଦିଆଯାଇନଥିବା ଯୋଗୁଁ ଏହାର ପରିଚାଳନା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଟାବ୍ଲେଟର ବ୍ୟବହାର ପାଇଁ ଇଣ୍ଟରନେଟ୍ର ଆବଶ୍ୟକ ରହୁଥିବା ବେଳେ ଅନେକ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନାହିଁ । ଏଥିରେ ନିଜସ୍ୱ କୌଣସି ଆପ୍ ଅପଡେଟ୍ ନକରିବାକୁ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଥିବା ଶୁଣିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଟାବ୍ଲେଟ୍କୁ ଅପରେଟ୍ କରିବା ଜଣାନାହିଁ । ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶିକ୍ଷା ସଂପର୍କିତ ବିଭିନ୍ନ ସୂଚନା, ତାଲିମ୍ ଓ ଶୈକ୍ଷିକ ଅଗ୍ରଗତି (ପେଡାଗୋଜି) ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ବର୍ଷ ଟାବଲେଟ୍ ପ୍ରଦାନ କରାଯାଇଥିଲେ ମଧ୍ୟ ତାହା ଦୀର୍ଘ ଦିନ ହେଲା ବିଭିନ୍ନ ବିଦ୍ୟାଳୟରେ ଅବ୍ୟବହୃତ ହୋଇ ପଡିରହିଥିିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଦିଆଯାଇଥିବା ଟାବ୍ଲେଟ୍ ଗୁଡିକ ଯେପରି କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।