କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ
ଆସିକା, (ୱାଇଏନ୍ଏସ୍):ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଆସିକା କଲେଜଛକ ସ୍ଥିତ କର୍ମଚାରୀ ରାଜ୍ୟ ବୀମା ଚିକତ୍ସାଳୟରେ ସରକାରଙ୍କ ରୋଗୀସେବା ପ୍ରୟାସ କାର୍ଯ୍ୟକ୍ରମ ଗତ କିଛିମାସ ହେଲା ବାଟବଣା ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆସିକା କଲେଜଛକ ସ୍ଥିତ କର୍ମଚାରୀ ରାଜ୍ୟ ବୀମା ଚିକତ୍ସାଳୟ ଉପରେ ଆସିକା ଅଞ୍ଚଳର ବିଭିନ୍ନ ଅନୁଷ୍ଟାନରେ କାର୍ଯ୍ୟରତ ଥିବା ଶହଶହ କର୍ମଚାରୀ ନିର୍ଭର କରୁଥିବା ବେଳେ ଦୀର୍ଘ ଦିନ ହେଲା ସ୍ଥାୟୀ ନିୟମିତ ଡାକ୍ତର ପଦବୀ ଖାଲି ପଡିଥିଲେ ମଧ୍ୟ ନିୟମିତ ଡାକ୍ତର ନିଯୁକ୍ତି କରିବା ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଏହି କର୍ମଚାରୀ ରାଜ୍ୟ ବୀମା ଚିକତ୍ସାଳୟକୁ ଚିକିତ୍ସା ଲାଗି ଆସୁଥିବା ରୋଗୀମାନଙ୍କ ଭରଷା ଦିନକୁ ଦିନ ତୁଟିବାରେ ଲାଗିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଦୂରଦୂରାନ୍ତର ରୋଗୀମାନେ କର୍ମଚାରୀ ରାଜ୍ୟ ବୀମା ଚିକତ୍ସାଳୟକୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ଆସି ଭରଷାଶୂନ୍ୟ ହୋଇ ଘରୋଇ ଚିକିତ୍ସାଳୟ କିମ୍ବା ଗ୍ରାମାଞ୍ଚଳର କ୍ୱାକମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି । ଆସିକା କଲେଜଛକ ସ୍ଥିତ ଏହି କର୍ମଚାରୀ ରାଜ୍ୟ ବୀମା ଚିକତ୍ସାଳୟରେ ଦୀର୍ଘ ଦିନ ହେଲା ସ୍ଥାୟୀ ନିୟମିତ ଡାକ୍ତର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କେତେକ ପଦବୀ ଖାଲି ପଡିଥିବା ଜଣାପଡିଛି । ଶ୍ରମ ବିଭାଗ ଅଧୀନରେ ପରିଚାଳିତ ଆସିକା କଲେଜଛକ ସ୍ଥିତ ରାଜ୍ୟ ବୀମା ଚିକିତ୍ସାଳୟ ୧୯୮୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ଆସିକା ସମେତ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଆବଶ୍ୟକତା ସମୟରେ ଏହିି ବୀମା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥାନ୍ତି । ତେବେ ଏହି ବୀମା ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ସ୍ଥାୟୀ ଚିକିତ୍ସକ ପଦବୀ ଖାଲି ପଡିଥିଲା ବେଳେ ଜଣେ ମାତ୍ର ଡାକ୍ତର ସପ୍ତାହକୁ ଦୁଇ ଦିନ ଆସି ରୋଗୀସେବା କରୁଥିବା ଜଣାପଡିଛି । ଦୀର୍ଘ ପ୍ରାୟ ୩୭ ବର୍ଷ ହେଲା ଏହି ବୀମା ଚିକିତ୍ସାଳୟ ଭଡାଘରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ନିଜସ୍ୱ କୋଠା ନିର୍ମାଣ କରିବା ସମ୍ଭବପର ହୋଇପାରି ନାହିଁ । ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି ।