ବାଣ ଫୁଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ୨ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମର ମଞ୍ଜୁଳା ବେହେରା ଓ ତାଙ୍କ ପୁଅ ଜଗନ ବେହେରା । ଘଟଣା ନେଇ ଗୁରୁତର ମଞ୍ଜୁଳାଙ୍କ ସ୍ୱାମୀ ଲକ୍ଷ୍ମଣ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୯୭/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ମଙ୍ଗଳବାର ଆକ୍ରମଣକାରୀ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମର ଗୁରୁ ସେଠି(୧୯), ଶେରଗଡ ଥାନା ଠୁରୁବୁରାଇ ଗ୍ରାମର ଦେବେନ୍ଦ୍ରନାଥ ମହାନ୍ତି(୨୬) ଓ ଖାସପା ଗ୍ରାମର ବିକ୍ରମ ନାଇକ(୧୯) । ଗିରଫ ଯୁବକଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଲୁହାକାତିକୁ ପୁଲିସ ଜବତ କରିଛି । ଗିରଫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ୨ ଯୁବକ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ବେଳେ ଗିରଫ ଯୁବକଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।
ପ୍ରକାଶ ଯେ, ଦୀପାବଳି ଦିନ ରାତି ପ୍ରାୟ ସାଢେ ୮ ଘଣ୍ଟା ସମୟରେ ଜଗନ ଘର ସମ୍ମୁଖରେ ବସି ବାଣ ଫୁଟାଉଥିଲେ । ସେହି ସମୟରେ ସେହି ଗ୍ରାମର ଗୁରୁ ସେଠି ଗ୍ରାମ କୋଠଘର ସମ୍ମୁଖରେ ବସିଥିବା ବେଳେ ଫୁଟାଉଥିବା ବାଣ କୋଠଘର ନିକଟକୁ ଫୋପାଡିବାକୁ ବାରଣ କରିଥିଲେ । ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗୁରୁ ଗ୍ରାମର କିଛି ଯୁବକଙ୍କ ସହ ଠୁରୁବୁରାଇ ଗ୍ରାମର ଦେବେନ୍ଦ୍ରେ ଓ ଖାସପା ଗ୍ରାମର ବିକ୍ରମଙ୍କୁ ସାଙ୍ଗରେ ନେଇ ଜଗନଙ୍କ ବାପା ଲକ୍ଷ୍ମଣଙ୍କୁ ମାଡ ମାରିଥିଲେ । ପରେ ଘଟଣାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଆକ୍ରମଣରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା ବେଳେ ଲକ୍ଷ୍ମଣଙ୍କ ସ୍ତ୍ରୀ ମଞ୍ଜୁଳା ଓ ପୁଅ ଜଗନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଆହତ ମା ଓ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପକ୍ଷରେ ଲକ୍ଷ୍ମଣ ବେହେରା ଓ ତାଙ୍କ ପୁଅ ଓ ସ୍ତ୍ରୀ ମିଶି ଗୁରୁ ସେଠିଙ୍କୁ ଆକ୍ରମଣ କରିଥିବା ନେଇ ଗୁରୁଙ୍କ ମା ରିତାଞ୍ଜଳି ସେଠି ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୯୯/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।