ଶ୍ରୀନୃସିଂହଂ ଭୀଷଣଂ ଭଦ୍ରମ୍

 ଭାରତୀୟ ସଂସ୍କୃତିର ପରମ୍ପରାରେ ଶ୍ରୀନୃସିଂହ ଜନ୍ମର ଅନେକ ମହତ୍ତ୍ୱ ରହିଛି। ମହାପ୍ରଭୁ ହେଉଛନ୍ତି ଭଗବାନ ଶ୍ରୀବିଷ୍ଣୁଙ୍କ ଚତୁର୍ଥ ଅବତାର। ସେ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏ ଧରା ପୃଷ୍ଠରେ ଆବିର୍ଭାବ ହୋଇଥିଲେ। ହରି ହେଉଛନ୍ତି ନ୍ୟାୟ, ଧର୍ମ ଏବଂ ନିଷ୍କପଟ ଭକ୍ତିର ପ୍ରତୀକ। ଶ୍ରୀବିଷ୍ଣୁ ହିରଣ୍ୟକଶିପୁ ନାମକ ଅସୁରର ଅତ୍ୟାଚାରରୁ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ନିମନ୍ତେ ସତ୍ୟ ଯୁଗରେ ନୃସିଂହ ରୂପକୁ ଧାରଣ କରିଥିଲେ। ଏହି ରୂପ ସୂଚାଏ ଯେ ପ୍ରଭୁ ସର୍ଵ ସ୍ବରୂପ ଏବଂ ସେ ନିଜ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ରକ୍ଷା କରିବା ପାଇଁ, ଯେ କୌଣସି ରୂପକୁ ମଧ୍ୟ ଧାରଣ କରିପାରନ୍ତି। ଏଣୁ ଶାସ୍ତ୍ରରେ କୁହାଯାଇଛି “କର୍ତ୍ତୁମକର୍ତ୍ତୁମ ଅନ୍ୟଥା କର୍ତ୍ତୁଂ ଯଃ ସୋବ ଈଶ୍ୱରଃ”। ଅର୍ଥାତ୍ ଈଶ୍ୱର ହେଉଛନ୍ତି ‘ସ୍ୱତନ୍ତ୍ର’ ଏବଂ ‘ସର୍ଵସମର୍ଥ’। ସୃଷ୍ଟିର ସମସ୍ତ କାର୍ଯ୍ୟ କରିବା ପାଇଁ ସେ ସକ୍ଷମ। ଯାହା ଅସମ୍ଭବ ମନେହୁଏ, ତାକୁ ମଧ୍ୟ ସେ ସମ୍ଭବ କରିପାରନ୍ତି। କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିଦେବା ବା ଆରମ୍ଭ କରିବା ପାଇଁ ମଧ୍ୟ ତାହାଙ୍କ ସାମର୍ଥ୍ୟ ରହିଛି। ଅର୍ଥାତ୍, ଈଶ୍ୱର କୌଣସି ପ୍ରକୃତି ନିୟମର ବଶବର୍ତ୍ତୀ ନୁହନ୍ତି। ସେ ଯେ କୌଣସି କାର୍ଯ୍ୟର ଗତିପଥକୁ ମଧ୍ୟ ପୂର୍ଣ୍ଣ ରୂପେ ବଦଳାଇ ପାରନ୍ତି ବା ପରିବର୍ତ୍ତନ କରି ପାରନ୍ତି। ଉଦାହରଣ ସ୍ୱରୂପ, ବିଷକୁ ଅମୃତ କରିବା କିମ୍ବା ଶୁଖିଲା କାଠରେ ଫୁଲ ଫୁଟାଇବା ଭଳି ଚମତ୍କାର ବା ଅସମ୍ଭବ କାର୍ଯ୍ୟ, କେବଳ ଈଶ୍ୱରଙ୍କ ଦ୍ୱାରା ହିଁ ସମ୍ଭବପର ହୋଇଥାଏ।  ସଂସାରରେ ଯେତେ ବେଳେ ପାପ ଓ ଅଧର୍ମର ଭାର ବଢ଼ିଯାଏ, ସେତେବେଳେ ଈଶ୍ୱର ବିବିଧ ରୂପରେ ପାପୀ ଓ ଅଧର୍ମୀକୁ ସଂହାର କରି ମେଦିନୀରେ ଧର୍ମର ପ୍ରତିଷ୍ଠା କରିବା ସହ ଭକ୍ତର ମନୋକାମନା ପୂର୍ଣ୍ଣ କରିଥାନ୍ତି। ଯାହାର ଦୃଷ୍ଟାନ୍ତ ଆମକୁ ପୁରାଣାଦି ଶାସ୍ତ୍ରରେ ଦେଖିବାକୁ ମିଳେ। ସେଥି ମଧ୍ୟରୁ ନୃସିଂହ ପୁରାଣ ଅନ୍ୟତମ। ଉକ୍ତ ପୁରାଣରେ ବର୍ଣ୍ଣିତ ଅଛି ଯେ, କଶ୍ୟପ ଋଷିଙ୍କ ପୁତ୍ର ହିରଣ୍ୟକଶିପୁ ଜଣେ ଅତ୍ୟନ୍ତ ବଳଶାଳୀ ଏବଂ ପ୍ରଭାବଶାଳୀ ଦାନବ ରାଜା ଥିଲେ। ସେ ବ୍ରହ୍ମାଙ୍କୁ ତପସ୍ୟା କରି ଏକ ଅଦ୍ଭୁତ ବର ପାଇଥିଲେ। ସେହି ବରଟି ଥିଲା: ସେ ଦିବା କିମ୍ବା ରାତିରେ, ଆକାଶ କିମ୍ୱା ଭୂମିରେ, ଘର ଭିତରେ କିମ୍ବା ଘର ବାହାରେ, ମଣିଷ କିମ୍ବା ପଶୁ ଦ୍ୱାରା ଓ ଅସ୍ତ୍ର କିମ୍ବା ଶସ୍ତ୍ରରେ ମରିବେ ନାହିଁ। ଏଣୁ ହିରଣ୍ୟକଶିପୁ ଧରାକୁ ସରା ମନେକରି ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଲେ। ସେ ନିଜ ସାମ୍ରାଜ୍ୟରେ ଘୋଷଣା କଲେ, ଯେ କେହି ବି ଶ୍ରୀବିଷ୍ଣୁଙ୍କୁ ପୂଜା କିମ୍ବା ଆରଧନା କରିବ ନାହିଁ। କାରଣ ଶ୍ରୀବିଷ୍ଣୁ ହେଉଛନ୍ତି ଦାନବ କୁଳର ଶତ୍ରୁ। ପରନ୍ତୁ ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ବାଲ୍ୟବେଳରୁ ହିଁ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ଏହା ଜାଣି ହିରଣ୍ୟକଶିପୁ ଅତ୍ୟନ୍ତ କ୍ରୋଧିତ ହୋଇ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଅନେକ ଅପଚେଷ୍ଟା କରିଥିଲେ । କିନ୍ତୁ ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦ ପ୍ରତିଥର ରକ୍ଷା ପାଇ ଯାଉଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ନିଜ ପୁତ୍ରକୁ କହିଲେ ତୁମର ହରି କେଉଁଠାରେ ଅଛି? ଏହା ଶୁଣି ପ୍ରହ୍ଲାଦ କହିଥିଲେ ଯେ, ହରି ସବୁଠାରେ (ସେ ସର୍ବ ବ୍ୟାପକ) ଅଛନ୍ତି। ଏହା ଶୁଣିବା ପରେ ହିରଣ୍ୟକଶିପୁ ପ୍ରହ୍ଲାଦକୁ ଏକ ସ୍ତମ୍ଭକୁ ଦେଖାଇ ପଚାରିଲେ, ତୁମର ଭଗବାନ କ’ଣ ଏହି ଖମ୍ବରେ ଅଛି? ପ୍ରହ୍ଲାଦ ‘ହଁ’ କହିଥିଲେ। ତାହା ଶୁଣି ହିରଣ୍ୟକଶିପୁ ଖମ୍ବଟିକୁ ଗଦାରେ ଆଘାତ କରିଥିଲେ। ତତକ୍ଷଣାତ୍ ସେହି ଖମ୍ବକୁ ଭାଙ୍ଗି ସେଥିରୁ ପ୍ରଭୁ ନୃସିଂହ ପ୍ରକଟ ହୋଇଥିଲେ। ସେହି ସମୟଟି ସନ୍ଧ୍ୟା ଥିଲା। ଯାହା ଦିନ କି ରାତି ନଥିଲା, ଘର ଭିତର କି ବାହାର ନଥିଲା ଏବଂ ଭୂମି କି ଆକାଶ ମଧ୍ଯ ନଥିଲା। ତାହା ଥିଲା ନୃସିଂହଙ୍କ କୋଳ । ସେ କୌଣସି ଅସ୍ତ୍ର କିମ୍ବା ଶସ୍ତ୍ର ପ୍ରୟୋଗ ନ କରି କେବଳ ନିଜର ତୀକ୍ଷ୍ଣ ନଖ ଦ୍ଵାରା ଦୈତ୍ୟକୁ ବଧ କରିଥିଲେ। ଯା ଫଳରେ ସେ ସତ୍ୟ ଓ ଧର୍ମର ପ୍ରତିଷ୍ଠା କରିବା ସହିତ ଭକ୍ତିର ମୂର୍ତ୍ତିମନ୍ତ ପ୍ରତୀକ ବାଳ ଭକ୍ତପ୍ରହଲ୍ଲାଦକୁ କୋଳରେ ବସାଇ ଉଗ୍ର ରୂପରୁ ସୌମ୍ୟ ରୂପକୁ ଧାରଣ କରିଥିଲେ।

ସାଧାରଣ ମଣିଷ ଯେଉଁ ଦୁଃପରିସ୍ଥିତିରେ ଥିଲେ ମଧ୍ୟ ଭଗବାନ ଶ୍ରୀନୃସିଂହଙ୍କୁ ପ୍ରାର୍ଥନା କଲେ ସେଥିରୁ ମୁକ୍ତି ମିଳିଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି:
“ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖମ୍ ।
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁମୃତ୍ୟୁଂ ନମାମ୍ୟହମ୍ ।।”
ଅର୍ଥାତ୍ ଯିଏ ଉଗ୍ର, ବୀର, ମହାବିଷ୍ଣୁଙ୍କ ସ୍ୱରୂପ, ଯେ ସର୍ବତ୍ର ବିଜୟୀ , ତେଜସ୍ୱୀ ଅଟନ୍ତି , ଯାହାଙ୍କର ମୁଖ ପ୍ରତ୍ୟେକ ଆଡ଼େ ରହିଛି, ସେ ଶତ୍ରୁଙ୍କ ପାଇଁ ଭୀଷଣ କିନ୍ତୁ ଭକ୍ତଙ୍କ ପାଇଁ ପରମ କଲ୍ୟାଣକାରୀ ଏବଂ ମୃତ୍ୟୁର ମୃତ୍ୟୁ ସ୍ୱରୂପ ଅଟନ୍ତି । ସେହି ଭଗବାନ ନୃସିଂହଙ୍କୁ ମୁଁ ନମସ୍କାର କରୁଛି। ଏହି ମନ୍ତ୍ରକୁ, ଯେ କୌଣସି ମଣିଷ ଜପ କଲେ ସେ, ଶତ୍ରୁ କିମ୍ବା ଭୟରୁ ମୁକ୍ତି ପାଇବା ସହିତ ମାନସିକ ଶାନ୍ତି ଲାଭ କରିଥାଏ।
ଶ୍ରୀନୃସିଂହ ଅବତାର ପ୍ରମାଣ କରେ ଯେ, ଈଶ୍ୱର ଜଡ଼ ଓ ଚେତନ ଅର୍ଥାତ୍ ସେ ପ୍ରତିଟି ଅଣୁ ଅଣୁରେ ବିଦ୍ୟମାନ। ପ୍ରଭୁ କେବଳ ମନ୍ଦିରରେ ନାହାନ୍ତି; ସେ ପଥର ଖମ୍ବରେ ଓ ସର୍ବତ୍ର ବିରାଜମାନ କରନ୍ତି। ଏହା ସହ ଭକ୍ତକୁ ନିର୍ଭୀକ ହେବାର ଶିକ୍ଷା ଦେଇଥାଏ। ପ୍ରହ୍ଲାଦ ଯେପରି, କୌଣସି ପରିସ୍ଥିତିରେ ବି ଭୟଭୀତ ନ ହୋଇ ଭଗବାନଙ୍କୁ ସ୍ମରଣ କରୁଥିଲେ, ସେ’ପରି ଆମକୁ ମଧ୍ୟ ବିପଦରେ ସାହସ ରଖିବାର ପ୍ରେରଣ ଦିଏ ଏବଂ ଅଧର୍ମ ଓ ଅହଂକାର ଯେତେ ବଳଶାଳୀ ହେଲେ ମଧ୍ୟ ତା’ର ଅନ୍ତ ସୁନିଶ୍ଚିତ। ଏହା ଆମମୁ ସୂଚାଇ ଦିଏ।
 ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଖମ୍ବେଶ୍ୱରୀ ପାଟଣା 
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ